ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କରି ଅଭିଭାଷଣ ରଖିଛନ୍ତି କେଜରିୱାଲ।

“ଧନ୍ୟବାଦ୍ ଦିଲ୍ଲୀବାସୀ। ଆଜି ଆପଣଙ୍କର ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛି। ମୁଁ ସମସ୍ତ ଦିଲ୍ଲୀବାସୀଙ୍କର ମୁଖ୍ୟମନ୍ତ୍ରୀ। ମୁଁ ବିଜେପି, କଂଗ୍ରେସ ଓ ଅନ୍ୟ ଦଳର ମଧ୍ୟ ମୁଖ୍ୟମନ୍ତ୍ରୀ”, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କେଜରିୱାଲ କିଛି ଏଭଳି ଢଙ୍ଗରେ ନିଜର ଅଭିଭାଷଣ ରଖିଛନ୍ତି।

ରବିବାର ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କେଜରିୱାଲ୍ ଓ ତାଙ୍କର ଅନ୍ୟ ୬ ଜଣ ମନ୍ତ୍ରୀଙ୍କ ଦିଲ୍ଲୀର ଉପ-ରାଜ୍ୟପାଳ ଅନିଲ ବୈଜଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ପାଠ କରିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଦିଲ୍ଲୀବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ।ଏହି ଅବସରରେ ସେ କହିଥିଲେ ଯେ ଦିଲ୍ଲୀର ସରକାର କେନ୍ଦ୍ର ସରକାରଙ୍କଠାରୁ ସହଯୋଗ ଚାହୁଁଛି। ଦିଲ୍ଲୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାହାଯ୍ୟ ଆବଶ୍ୟକ। ଏଥିସହ ଦିଲ୍ଲୀରେ ମାଗଣା ହସ୍ପିଟାଲ ଓ ମାଗଣା ବିଜୁଳିକୁ ନେଇ ବିରୋଧୀମାନେ ଯେଉଁ ଅପପ୍ରଚାର କରୁଛନ୍ତି ସେ ବିଷୟରେ ବର୍ଷିଛନ୍ତି କେଜରିୱାଲ। ଯେଉଁ ମୁଖ୍ୟମନ୍ତ୍ରୀ ଗରିବ ଜନସାଧାରଣଙ୍କଠାରୁ ଔଷଧ ଓ ବିଜୁଳି ପଇସା ନିଏ ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ ନୁହେଁ ବୋଲି କେଜରିୱାଲ୍ ନିଜର ଅଭିଭାଷଣରେ କହିଥିଲେ।

ଏଥିସହ ନିର୍ବାଚନ ସମୟରେ ଯେଉଁ ନିନ୍ଦା, ଅପପ୍ରଚାରର ରାଜନୀତି ଚାଲିଥିଲା ତାହାକୁ ଭୁଲିଯିବାକୁ କହିଛନ୍ତି କେଜରିୱାଲ। ଏଥିସହ ଶେଷରେ ସେ ‘ହମ ହୋଙ୍ଗେ କାମିୟାବ୍’ ଗୀତ ଗାଇ ନିଜର ଅଭିଭାଷଣ ଶେଷ କରିଥିଲେ।

LEAVE A REPLY

Please enter your comment!
Please enter your name here