ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେରୋଜଗାର ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି।

ବେରୋଜଗାର ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ଯୁବ ମୋର୍ଚ୍ଚା। ଓଡ଼ିଆ ଯୁବକଙ୍କୁ କେବେ ନିଯୁକ୍ତି ଦେବ ପ୍ରଶ୍ନ ପଚାରି ଯୁବମୋର୍ଚ୍ଚା ବିଧାନସଭା ଘେରାଉ କରିଥିଲା। ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଏହି ଘେରାଉ ହୋଇଥିଲା।

‘’୨୦ ବର୍ଷ ହେଲା ବିଜୁ ଜନତା ଦଳ ସରକାରରେ ରହିଛି। ହେଲେ ଯୁବକମାନଙ୍କୁ କର୍ମନିଯୁକ୍ତି ମିଳୁନି। ଓଡ଼ିଶାରେ ପ୍ରାକୃତିକ ସମ୍ପଦ ପ୍ରଚର ମାତ୍ରାରେ ଥିଲେ ମଧ୍ୟ ଯୁବକମାନେ ବେରୋଜଗାର ରହିବା ଦୁର୍ଭାଗ୍ୟଜନକ’’, କହିଛନ୍ତି ଟଙ୍କଧର ତ୍ରିପାଠୀ।

ସରକାରଙ୍କର ନିଶ୍ଚିନ୍ତ ନିଯୁକ୍ତି କାର୍ଯ୍ୟକ୍ରମରେ ଓଡ଼ିଆ ଯୁବପିଢ଼ିଙ୍କୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ରୋଜଗାର ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ହେବା, ଶିକ୍ଷିତଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା, ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ନହେବା, ରାଜ୍ୟରେ ଥିବା ଘରୋଇ କମ୍ପାନିମାନଙ୍କରେ ଓଡ଼ିଆ ଯୁବକମାନଙ୍କୁ ନିଯୁକ୍ତି ନମିଳିବା, ନିଯୁକ୍ତି ମେଳା ନାଁରେ ଶାସକ ଦଳର ନେତା ଚାନ୍ଦା ଆଦାୟ କରିବା ବିରୋଧରେ ଆଜି ଏକ ବିଶାଳ ରାଲି ବାହାରିଥିଲା।

ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ‘‘ଶାସକ ବିଜେଡିର ଅପାରଗତ ଓ ସ୍ଥାଣୁତା କାରଣରୁ ଦୀର୍ଘ ୨୦ ବର୍ଷ ଶାସନ କ୍ଷମତା ଥିବା ସତ୍ତ୍ୱେ ଆଜି ଓଡ଼ିଆ ଯୁବକ ଯୁବତୀମାନେ ବେରୋଜଗାର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଯୁବକ ଯୁବତୀଙ୍କ ହକର ଲଢେଇ ପାଇଁ ବିଜେପି ସଂଘର୍ଷ ଜାରି ରଖିବ।’’

LEAVE A REPLY

Please enter your comment!
Please enter your name here