ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଏଥର କିଏ ଯିବେ ରାଜ୍ୟସଭା? ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏମିତି ଚର୍ଚ୍ଚା ରାଜନୀତି କରିଡରରେ ଜୋର୍‌ ଧରିଛି।

ଓଡ଼ିଶାରୁ ଏଥର କିଏ ଯିବେ ରାଜ୍ୟସଭା? ପୁରୁଣା ନା ନୂଆ ନେତାଙ୍କ ଉପରେ ଭରସା କରିବେ ନବୀନ? ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯେଉଁ ନେତାମାନଙ୍କ ନାଁ ରାଜ୍ୟସଭା ପାଇଁ ଚର୍ଚ୍ଚା ହେଉଥିଲା ସେମାନଙ୍କୁ ନବୀନ ଇତିମଧ୍ୟରେ ବିଭିନ୍ନ ପଦ ପଦବୀରେ ଥଇଥାନ କରିଛନ୍ତି। ଏଣୁ ନବୀନ ନୂଆ ମୁହଁ ଖୋଜୁଥିବା କୁହାଯାଉଛି।

ଏପ୍ରିଲ ମାସରେ ଖାଲି ହେଉଛି ୪ ଆସନ। ଅନୁଭବ ମହାନ୍ତି, ରଞ୍ଜିବ ବିଶ୍ୱାଳ, ସରୋଜିନୀ ହେମ୍ବ୍ରମ ଏବଂ ନରେନ୍ଦ୍ର ସ୍ୱାଇଁଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିପାଇଁ ମାର୍ଚ୍ଚ ୨୬ରେ ହେବ ନିର୍ବାଚନ। ନିର୍ବାଚନ ତାରିଖ ଯେତିକି ପାଖଉଛି ଆଶାୟୀଙ୍କ ମନରେ ସେତିକି ଉତ୍କଣ୍ଠା ବଢୁଛି। ନବୀନ କାହା ନାଁ ଘୋଷଣା କରିବେ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବା ପାଇଁ ବିଜେପି ଏବଂ କଂଗ୍ରେସ ହାତରେ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି। କଂଗ୍ରେସ ହାତରେ ୯ ଜଣ ବିଧାୟକ ରହିଥିବା ବେଳେ ବିଜେପି ପାଖରେ ୨୩ ବିଧାୟକ ଅଛନ୍ତି। ଏଣୁ ରାଜ୍ୟସଭାରେ ପ୍ରାର୍ଥୀ ଦେବା ଏମାନଙ୍କ ପାଇଁ ସହଜ ହେବ ନାହିଁ। କେବଳ ବିଜେଡି ହିଁ ପ୍ରାର୍ଥୀ ଦେଇ ପାରିବ।

‘‘ଆମ ପାଖରେ ତ ସଂଖ୍ୟା ନାହିଁ। ଆମେ ପ୍ରାର୍ଥୀ ଦେବା କଥା ଚିନ୍ତା କାହିଁକି କରିବୁ? ଆମେ ରାଜ୍ୟସଭା ନିର୍ବାଚନ ବେଳେ କାହାକୁ ସମର୍ଥନ କରିବୁ କି ନାହିଁ ତାହା ଆମ ସଭାପତି ନିଷ୍ପତ୍ତି ନେବେ। ଏଆଇସିସି ଯାହା କହିବ ତାହା ହିଁ ହେବ’’, କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

ବିଜେଡି ହାତରେ ୧୧୪ ବିଧାୟକ ଅଛନ୍ତି। ୪ଟି ଆସନ ପାଇଁ ଏହି ସଂଖ୍ୟା ଯଥେଷ୍ଟ ନୁହେଁ। ଯେତିକି ବିଧାୟକ ଅଛନ୍ତି ସେଥିରେ ବିଜେଡି ୩ଟି ଆସନ ସହଜରେ ହାତେଇ ପାରିବ। ଚତୁର୍ଥ ଆସନ ପାଇଁ ଅନ୍ୟ ବିଧାୟକଙ୍କ ସମର୍ଥନ ଦରକାର ପଡ଼ିପାରେ। ଏହି ଚତୁର୍ଥ ଆସନ ପାଇଁ ପୂର୍ବ ଥର ଭଳି ଏଥର ଅଶ୍ୱିନୀ ବୈଷ୍ଣବଙ୍କ ଫର୍ମୁଲା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। ବିଜେପି ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଦେବ ଏବଂ ବିଜେଡି ଏହାକୁ ସମର୍ଥନ କରିବ ବୋଲି ଅମିତ ଶାହଙ୍କ ଗସ୍ତ ପରେ ଏଭଳି ଚର୍ଚ୍ଚା ଲାଗି ରହିଛି।

ତେବେ ପ୍ରଶ୍ନ ଉଠୁଛି ବିଜେଡି ଯଦି ତିନୋଟି ଆସନ ପାଇଁ ପ୍ରାର୍ଥୀ ଦିଏ ତାହାହାଲେ କାହାକୁ ଦେବ? ରାଜ୍ୟସଭା ଯିବା ପାଇଁ ବିଜେଡି ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ରବୀନ୍ଦ୍ର ଜେନା, ସଞ୍ଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟଙ୍କ ନାଁ ଚର୍ଚ୍ଚା ହେଉଥିଲା। ହେଲେ ନବୀନ ରମେଶ, ପୁଷ୍ପେନ୍ଦ୍ର, ରବୀନ୍ଦ୍ର ଏବଂ ଦେବାଶିଷଙ୍କୁ ଜିଲ୍ଲା ବିଜେଡି ସଭାପତି କରିଛନ୍ତି। ସେହିପରି ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ କରାଯାଇଛି। ଏଣୁ ଏମାନଙ୍କ ରାଜ୍ୟସଭା ଯିବା ଆଶା କମ୍‌ ବୋଲି ଆଲୋଚନା ହେଉଛି।

ଗତ ସାଧାରଣ ନିର୍ବାଚନ ବେଳେ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ ମିଳି ନଥିଲା। ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ନବୀନ ପ୍ରତିଶ୍ରୁତି ଦେଇଥିଲେ। ଗତ ଥର ପାଟ୍ଟଶାଣୀଙ୍କ ପାଳି ପଡ଼ି ନଥିଲା। ହେଲେ ଏଥର ତାଙ୍କ ପାଳି ପଡ଼ିବ ବୋଲି ପାଟ୍ଟଶାଣୀ ଆଶାବାଦୀ ଅଛନ୍ତି। ହେଲେ ନବୀନ କ’ଣ କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏପଟେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ମଧ୍ୟ ରାଜ୍ୟସଭା ରେସ୍‌ରେ ସାମିଲ ହୋଇଛନ୍ତି। ନବୀନ କାହାକୁ ବାଛିବେ କାହାକୁ କାଟିବେ ତାହା ଅପେକ୍ଷା କରି ଦେଖିବାର କଥା।

‘‘ଚର୍ଚ୍ଚା ତ ହେଉଛି। ହେଲେ ନିଷ୍ପତ୍ତି ଆମ ଦଳର ସଭାପତି ନବୀନ ପଟ୍ଟନାୟକ ନେବେ। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ପ୍ରାର୍ଥୀ ଘୋଷଣା କରାଯିବ। ନୂଆ, ପୁରୁଣାଙ୍କୁ ମିଶାଇ ବିଚାର କରାଯିବ’’, କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର।

ପ୍ରତି ଥର ରାଜ୍ୟସଭା ନିର୍ବାଚନ ଆସିଲେ ଡଜନେରୁ ଅଧିକ ଆଶାୟୀଙ୍କୁ ନେଇ ଚର୍ଚ୍ଚା ହୁଏ। ହେଲେ ନବୀନ ମାଷ୍ଟରଷ୍ଟ୍ରୋକ ଖେଳି ରାଜନୀତି କରିଡରକୁ ହଲଚଲ କରନ୍ତି। ଗତ ଜୁନ୍ ମାସରେ ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବି ନବୀନ ମାଷ୍ଟର କାର୍ଡ ଖେଳିଥିଲେ। ଦୁଇଟି ଆସନରେ ବିଜେଡି ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇଥିବା ବେଳେ ଅନ୍ୟଟିରେ ବିଜେପି ସମର୍ଥିତ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରି ରାଜନୀତି ପାଣିପାଗକୁ ସରଗରମ କରିଥିଲେ। ଏଣୁ ଏଥର ନବୀନ କ’ଣ କରିବେ ତା’ ଉପରେ ନଜର ରହିଛି।

LEAVE A REPLY

Please enter your comment!
Please enter your name here