ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ରହିଛି। ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ଓ ଅଫିସରଙ୍କ ବିଦେଶଗସ୍ତ ଉପରେ କଟକଣା ଜାରି କରିଛନ୍ତି।
କୋରୋନା ଭାଇରସର ମୁକାବିଲା କରିବା ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକ କରିଥିଲେ। ଭୁବନେଶ୍ୱରସ୍ଥିତ ଖାରବେଳ ଭବନରେ ଏହି ସମୀକ୍ଷା ବୈଠକ ହୋଇଥିଲା। ବୈଠକ ପରେ ରାଜ୍ୟରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ କୋରୋନା ଭାଇରସର ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏହାସହ କୋରୋନା ମୁକାବିଲା ପାଇଁ ଏକ ଜିଲ୍ଲାସ୍ତରରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ପରିମାଣର ମାସ୍କ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିଭିନ୍ନ କାର୍ଯ୍ୟାଳୟରେ ବାୟୋମେଟ୍ରିକ ବ୍ୟବସ୍ଥା କହୋଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ ଓ ବିଭାଗୀୟ ମୁଖ୍ୟ ଦାୟିତ୍ୱରେ ଅଧକାରୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ।
ଛାତ୍ରଛାତ୍ରୀ ଅସୁସ୍ଥ ଥିଲେ ସ୍କୁଲ ନଯିବାକୁ ପରାମର୍ଶ ଦିଆଯାଇଛି। ସଚେତନତା ପାଇଁ ସହରର ମୁଖ୍ୟ ସ୍ଥାନ ଗୁଡିକରେ ବ୍ୟାନର ଓ ହୋର୍ଡିଂ ଲଗାଯିବ। ଗ୍ରାମାଞ୍ଚଳରେ ଗ୍ରାମସଭା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ।















