ଓଡ଼ିଶାଲାଇଭ୍ ବ୍ୟୁରୋ

ଆଧୁନିକ ଯୁଗର ଏ ସମାଜରେ ମାଟିପାତ୍ରର ଚାହିଦା ଧିରେ ଧିରେ କମିବାରେ ଲାଗିଛି। ମାଟିପାତ୍ର ତିଆରି କରି ପେଟ ପୋଷୁଥିବା କୁମ୍ଭାରମାନେ ମଧ୍ୟ ନିଜ କୌଳିକ ବୃତ୍ତିକୁ ଛାଡ଼ିବା ଆରମ୍ଭ କରିଦେଲେଣି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମ୍ଭାରପୁଟ ଗାଁରୁ ଆସିଛି ଏଭଳି କିଛି ଚିତ୍ର।

କୁମ୍ଭାରପୁଟ ଗାଁରେ ପ୍ରାୟ ଦୁଇ ଶହରୁ ଅଧିକ କୁମ୍ଭାର ପରିବାର ବସବାସ କରିଥାନ୍ତି। ଏହି ଗାଁର ଲୋକମାନେ ମାଟିରେ ଦୀପ, ରୁଖା, କଳଶ, ହାଣ୍ଡି  ଆଦି ତିଆରି କରି ପେଟ ପୋଷିଥାନ୍ତି। ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି। ତେବେ ବଜାରରେ ଏହି ମାଟିପାତ୍ର ଗୁଡ଼ିକର ଚାହିଦା ଏବେ କମିବାରେ ଲାଗିଛି। ଫଳରେ କୁମ୍ଭାରମାନଙ୍କ ପାଇଁ ନିଜ ପରିବାରର ପେଟ ପୋଷିବା କଷ୍ଟକର ହୋଇପଡ଼ିଛି।ବଜାରରେ ବିକ୍ରି ନହେବା କାରଣରୁ କୁମ୍ଭାରମାନେ ଏବେ ଘର ଘର ବୁଲି ମାଟିପାତ୍ରକୁ ବିକିବା ଆରମ୍ଭ କରିଛନ୍ତି। ସେଥିରୁ ଯାହା ମିଳୁଛି ତାହା କେବଳ ଯିବା ଆସିବାରେ ଖର୍ଚ୍ଚରେ ଶେଷ ହୋଇଯାଉଛି ବୋଲି କହିଛନ୍ତି କୁମ୍ଭାରମାନେ। ଏହାସହ ବର୍ତ୍ତମାନ ଏଥିପାଇଁ କଞ୍ଚାମାଲ ମଧ୍ୟ ଠିକ୍ ସେ ମିଳୁନଥିବା ସେମାନେ କହିଛନ୍ତି।

କୁମ୍ଭାରମାନଙ୍କ ପାଇଁ କୌଣସି ବଜାର ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏନେଇ ସେମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦ୍ଵାରସ୍ଥ ମଧ୍ୟ ହୋଇଛନ୍ତି। ହେଲେ ପ୍ରତିଥର ସେମାନେ ନିରାଶ ହେବାରେ ଲାଗିଛନ୍ତି।

କୁମ୍ଭାରମାନେ ବ୍ୟବସାୟରେ କ୍ଷତି ହେବା କାରଣରୁ ଲୋକମାନେ ଏବେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। କୁମ୍ଭାରମାନଙ୍କର ଏହି ସମସ୍ୟାକୁ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଏହି ମାଟିପାତ୍ର ନିର୍ମାଣ ଲୋପ ପାଇଯିବ ବୋଲି ସେମାନେ କହିଛନ୍ତି।

Comment