ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଆମେ ଆଜି ଏମିତି ଏକ ମହିଳାଙ୍କ ବିଷୟରେ କହିବୁ ଯିଏ ଗୋଟେ ଗୋଡ଼ ହରାଇବି ଚଢ଼ିଥିଲେ ଏଭରେଷ୍ଟ।
ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଲା ଅକ୍ଷମତା। ଆତ୍ମବିଶ୍ୱାସ ଓ ଦୃଢ଼ ଇଛାଶକ୍ତି ଥିଲେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ଅରୁଣିମା ସିହ୍ନା। ଗୋଟିଏ ଗୋଡ଼ ହରାଇବି ପର୍ବତ ଚଢ଼ିଲେ ଅରୁଣିମା।
୨୦ଜୁଲାଇ ୧୯୮୯ ମସିହାରେ ଉତ୍ତର ପ୍ରଦେଶର ଆମ୍ବେଦକର ନଗରରେ ଜନ୍ମ ଗ୍ରହଣ କରିଥିଲେ ଅରୁଣିମା। ଅରୁଣିମାଙ୍କ ବାପା ଭାରତୀୟ ସେନାରେ କାର୍ଯ୍ୟ କରୁଥିଲେ। ଯେତେବେଳେ ଅରୁଣିମାଙ୍କୁ ୩ବର୍ଷ ବୟସ ହୋଇଥିଲା ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଅରୁଣିମାଙ୍କ ଭିଣୋଇ ତାଙ୍କ ପରିବାରର ଦାୟିତ୍ଵ ନେଇଥିଲେ।
ପିଲାଟି ଦିନରୁ ଅରୁଣିମା ଖେଳକୁଦରେ ବହୁ ରୁଚି ରଖୁଥିଲେ। ଅରୁଣିମା ଜାତୀୟ ସ୍ତରରେ ଭଲିବଲ ଓ ଫୁଟବଲ ଖେଳି ଖ୍ୟାତି ଅର୍ଜନ କରିଥିଲେ। ତେବେ ଅରୁଣିମା ପାରାମିଲିଟାରୀ ଫୋର୍ସରେ ଚାକିରି କରିବାକୁ ଚାହୁଁଥିଲେ। ଏଥିପାଇଁ ସୁଯୋଗ ମଧ୍ୟ ପାଇଥିଲେ।
ହେଲେ ୨୦୧୧ ମସିହା ଏପ୍ରିଲ ୧୨ ତାରିଖରେ ଅରୁଣିମା ସିଆଇଏସଏଫ ଇଣ୍ଚରଭ୍ୟୁ ଦେବାକୁ ଦିଲ୍ଲୀ ଯାଉଥିବା ବେଳେ କିଛି ଅପରାଧୀ ବରେଲୀ ନିକଟରେ ଲୁଟ କରିବା ଉଦ୍ଦେଶ୍ୟରେ ଅରୁଣିମାଙ୍କୁ ପଦ୍ମାବତୀ ଏକ୍ସପ୍ରେସରୁ ଠେଲି ଦେଇଥିଲେ। ଫଳରେ ସେ ଟ୍ରେନ ଟ୍ରାକ ଉପରେ ପଡ଼ିଯାଇଥିଲେ। ଆରପଟୁ ଆସୁଥିବା ଆଉ ଏକ ଟ୍ରେନ ତାଙ୍କ ବାମ ଗୋଡ଼ ଉପରେ ଚଢ଼ି ଯାଇଥିଲା। ଫଳରେ ତାଙ୍କ ବାମ ଗୋଡ଼ ନଷ୍ଟ ହୋଇଯାଇଥିଲା।
ଏହି ଦୁର୍ଘଟଣା ପରେ ଅରୁଣିମାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଗଲା। ଦୁର୍ଘଟଣା ପରେ ବି ଅରୁଣିମା ତାଙ୍କ ମନୋବଳକୁ ଦୃଢ଼ କରି ଆଗେଇ ଚାଲିଲେ। ଦିଲ୍ଲୀରେ ଚିକିତ୍ସିତ ହେଉଥିବା ବେଳେ ହିଁ ଅରୁଣିମା ପର୍ବତ ଆରୋହଣ କରିବାକୁ ମନସ୍ଥ କରିଥିଲେ। ସେହି ଦିନଠାରୁ ଅରୁଣିମାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା।
ଅରୁଣିମା ଉତ୍ତରପ୍ରଦେଶର ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିଂରୁ ପର୍ବତ ଆରୋହଣ ଶିକ୍ଷା ଲାଭ କରିଥିଲେ। ଏହାପରେ ୨୦୧୧ ମସିହାରେ ହିଁ ଅରୁଣିମା ଭାରତର ପ୍ରଥମ ମହିଳା ଏଭେରେଷ୍ଟ ଶୃଙ୍ଗ ଆରୋହୀ ବାଚେନ୍ଦ୍ରି ପାଲଙ୍କ ସହ ଦେଖା ହୋଇଥିଲେ। ସେଠାରୁ ଅରୁଣିମା ବାଚେନ୍ଦ୍ରିଙ୍କ ସହ ଟାଟା ଆଡଭେନଚର ଫାଉଣ୍ଡେସନରେ ପର୍ବତ ଆରୋହଣ ଅଭ୍ୟାସ କରିଥିଲେ।
ସେବେଠୁ ଅରୁଣିମା ପଛକୁ ବୁଲି ଚାହିଁ ନଥିଲେ। ୨୦୧୨ ମସିହାରେ ଅରୁଣିମା ପ୍ରଥମ କରି ଆର୍ୟଲାଣ୍ଡ ଶୃଙ୍ଗ ଆରୋହଣ କରିଥିଲେ। ହେଲେ ମନରେ ଆଶା ଥିଲା ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବା। ଅରୁଣିମାଙ୍କ ତାଙ୍କ ସ୍ଵପ୍ନ ସାକାର ମଧ୍ୟ କଲେ।
୨୦୧୩ ମସିହା ମେ’ ୨୧ ତାରିଖରେ ସେ ମାଉଣ୍ଟ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ଇତିହାସ ସୃଷ୍ଟି କରିଥିଲେ। ବିଶ୍ଵରେ ପ୍ରଥମ ଦିବ୍ୟାଙ୍ଗ ମହିଳା ଭାବରେ ସେ ଏହି ଇତିହାସ ସୃଷ୍ଟି କରିଥିଲେ। ଏଥିପାଇଁ ଅରୁଣିମା ସିହ୍ନାଙ୍କୁ ୨୦୧୫ ମସିହାରେ ତତ୍କାଳିନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ।
ଏତିକିରେ ଅରୁଣିମା ଚୁପ ହୋଇ ବସିନଥିଲେ। ୨୦୧୯ ମସିହାରେ ଅରୁଣିମା ଆଣ୍ଟାର୍କଟିକାର ସବୁଠାରୁ ଉଚ୍ଚ ପର୍ବତ ଭିନସନରେ ତ୍ରିରଙ୍ଗା ପତାକା ଉଡ଼ାଇ ରେକର୍ଡ ସୃଷ୍ଟି କରିଛନ୍ତି। ଏହାପୁର୍ବରୁ ଅରୁଣିମା କିଲିମଞ୍ଜାରୋ(ଆଫ୍ରିକା), ଏଲବ୍ରୁସ(ଋଷ), କାସ୍ଟେନ ପିରାମିଡ (ଇଣ୍ଡୋନେସିଆ), କିଜାଶ୍କୋ (ଅଷ୍ଟ୍ରେଲିଆ) ଅଙ୍କକାଗୁଆ (ସାଉଥ ଆମେରିକା) ଉଚ୍ଚ ପର୍ବତର ଶିଖର ଛୁଇଁ ସାରିଛନ୍ତି।
ସାଧାରଣତଃ ସମାଜରେ ଦିବ୍ୟାଙ୍ଗ ଲୋକମାନଙ୍କୁ ସମସ୍ତେ ସହାନୂଭତି ନଜରରେ ଦେଖିଥାନ୍ତି। ଅନେକ ସ୍ଥାନରେ ଦିବ୍ୟାଙ୍ଗ ଲୋକଟିଏ କିଛି କରିପାରିବନି ବୋଲି ବି ଲୋକ ବିଚାର କରିଥାନ୍ତି। ହେଲେ ଅରୁଣିମା ଏହାକୁ ଭୁଲ ପ୍ରମାଣିତ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଅରୁଣିମା ଏବେ ସିଆଇଏସଏଫ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ)ରେ କାର୍ଯ୍ୟରତ ଅଛନ୍ତି।