ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସରେ କଟକ ପୋଲିସ୍ ଚିକିତ୍ସାଳୟରେ ଆୟୋଜିତ ହେଲା ସ୍ତନ ଓ ଜରାୟୁ କର୍କଟ ସଚେତନତା ଏବଂ ଚିହ୍ନଟ ଶିବିର। ଓଡ଼ିଶା ପୋଲିସ୍, ଅଖିଳ ଭାରତୀୟ ସ୍ତ୍ରୀ ରୋଗ ମହାସଂଘ ଏବଂ ଓଡ଼ିଶା ସ୍ତ୍ରୀ ଓ ପ୍ରସୂତି ସଂଘ ତରଫରୁ ରବିବାର ଏଭଳି ଏକ ଆଯୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ୍ ଡିଜି ଅଭୟ ଓ ତାଙ୍କର ଧର୍ମପତ୍ନୀ ରଶ୍ମୀ ଅଭୟ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ଶହେରୁ ଅଧିକ ମହିଳା ପୋଲିସ୍ ଓ ତାଙ୍କର ପରିବାର ଲୋକମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।ଏହି ସ୍ୱାସ୍ଥ୍ୟ ଶିବିରରେ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ମୁଖ୍ୟ ଡାକ୍ତର ତୁଷାର କର, ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ରର ପ୍ରଫେସର ଡାକ୍ତର ସୁଶିଲ ଗିରୀ, ଆସୋସିଏଟ୍ ପ୍ରଫେସର ଡାକ୍ତର ଜନ୍ମେଜୟ ମହାପାତ୍ର, ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ମହିଳା ପୋଲିସ୍ ଅଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଓଡ଼ିଶା ପୋଲିସ୍ ସାରା ରାଜ୍ୟରେ ୩୭ଟି ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବାଟାଲିୟନରେ ଥିବା ପୋଲିସ୍ ଚିକିତ୍ସାଳୟରେ ରବିବାର ଏହି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଏଥିରେ ମହିଳା ପୋଲିସ୍ ଅଧିକାରୀମାନଙ୍କୁ ସ୍ତନ ଓ ଜରାୟୁ କର୍କଟ ସମ୍ବନ୍ଧରେ ସଚେତନ କରାଇବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହି ସ୍ୱାସ୍ଥ୍ୟ ଶିବିର ଦ୍ୱାରା ରାଜ୍ୟ ପ୍ରାୟ ୫ ହଜାର ମହିଳା ପୋଲିସ୍ କର୍ମଚାରୀ ଲାଭବାନ ହୋଇପାରିଛନ୍ତି ବୋଲି କୁହାଯାଇଛି।

Comment