ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପୁଣି ଚିହ୍ନଟ ହେଲେ ୨ କୋରୋନା ଆକ୍ରାନ୍ତ। ସୋମବାର କେରଳ ଓ ଜାମ୍ମୁରେ ଏହି ଦୁଇ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କେରଳରେ ଜଣେ ୩ ବର୍ଷୀୟ ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜାମ୍ମୁରୁ ମଧ୍ୟ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି।
କିଛିଦିନ ପୂର୍ବରୁ କେରଳର ଗୋଟେ ପରିବାର ଓ ତାଙ୍କ ତିନି ବର୍ଷର ଶିଶୁ ଇଟାଲୀ ଯାଇଥିଲେ। ଇଟାଲୀରୁ ଫେରିବା ପରେ ଛୋଟ ଛୁଆ ଜଣକ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଶିଶୁଟିକୁ ଏବେ କେରଳ ଏର୍ଣ୍ଣାକୁଲମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେହିଭଳି ଜାମ୍ମୁରୁ ମଧ୍ୟ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ କିଛି ଦିନ ହେବ ଇରାନରୁ ଫେରିଥିଲେ। ତାଙ୍କ ମଧ୍ୟରେ କୋରୋନା ଲକ୍ଷଣ ଚିହ୍ନଟ ହେବାରୁ ତାଙ୍କୁ ଜାମ୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ତାଙ୍କ ରକ୍ତ ନମୁନା ପରୀକ୍ଷା ପରେ ତାଙ୍କ ନମୁନା ପଜିଟିଭ୍ ଆସିଛି। ଫଳରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି।
ଅନ୍ୟପଟେ ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାର ଦେଖି ଭାରତୀୟ ଭିସାକୁ ରଦ୍ଦ କରିଛି କତାର। ଭାରତ ସମେତ ୧୩ଟି ଦେଶକୁ କତାର ଯାତ୍ରା ଉପରେ ରୋକ ଲଗାଯାଇଛି।
କୋରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱର ୯୧ଟି ଦେଶକୁ ଗ୍ରାସ କରି ସାରିଲାଣି କୋରୋନା। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଟ୍ରାଭେଲ ଆଡଭାଇଜରି ଜାରି କରିଥିଲେ। ଏହି ଆଡଭାଇଜରିରେ ଚୀନ, ଦକ୍ଷିଣକୋରିଆ, ଜାପାନ, ଇଟାଲୀ ସମେତ କେତେକ ଦେଶର ନାଗରିକଙ୍କ ଭିସା ଉପରେ ରୋକ ଲଗାଯାଇଛି।
ବର୍ତ୍ତମାନ ସୁଦ୍ଧା ଭାରତର ବିଭିନ୍ନ ବିମାନବନ୍ଦରରେ ୭୦ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ ହୋଇସାରିଛି।
ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କୋରୋନା ଭାଇରସରେ ଏଯାବତ୍ ୩ହଜାର୧୧୯ ଲୋକଙ୍କ ମୃତ୍ୟୁ ହୋଇଛି।


















