ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ନିଜର ସରକାର ବଞ୍ଚାଇବା ପାଇଁ ବହୁମତ ପ୍ରମାଣ ଦେବେ।
ମଧ୍ୟପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ରାଜନୈତିକ ସଙ୍କଟ ଜାରି ରହିଛି। ଏହାମଧ୍ୟରେ କରୋନା କାରଣରୁ ବିଧାନସଭା ମାର୍ଚ୍ଚ ୨୬ ଯାଏଁ ମୂଲତବୀ ଘୋଷଣା ହୋଇଛି। ଏହାସତ୍ତ୍ୱେ ମଧ୍ୟ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ବହୁମତ ପ୍ରମାଣ କରିବାକୁ ଚିଠି ଲେଖିଛନ୍ତି।
ରାଜ୍ୟପାଳ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଚିଠିରେ ଲେଖିଛନ୍ତି ଯେ, ମଙ୍ଗଳବାର ଆପଣ ଗୃହରେ ନିଜର ବହୁମତ ପ୍ରମାଣ କରନ୍ତୁ। ନଚେତ୍ ମୁଖ୍ୟମନ୍ତ୍ରୀ ନିଜର ସଂଖ୍ୟାଗରିଷ୍ଠତା ହରାଇଛନ୍ତି ବୋଲି ସେ ଗ୍ରହଣ କରିନେବେ।ଏହାପୂର୍ବରୁ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନ ସୋମବାର ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଗୃହରେ ବହୁମତ ପ୍ରମାଣ କରିବାକୁ ସମୟ ଦେଇଥିଲେ। ସୋମବାର ମଧ୍ୟପ୍ରଦେଶ ବିଧାନସଭାର ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା। ଏହାପରେ କିନ୍ତୁ ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲିପାରିନଥିଲା। ଶେଷରେ କରୋନା କାରଣରୁ ମଧ୍ୟପ୍ରଦେଶ ବିଧାନସଭାକୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।
ଏହାପରେ ମଧ୍ୟ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ନିଜର ବହୁମତ ପ୍ରମାଣ କରିବାକୁ କହିଛନ୍ତି।ଅନ୍ୟପଟେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ୧୦୬ ଜଣ ବିଜେପି ବିଧାୟକ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିବା ସୂଚନା ମିଳିଛି।
ମଧ୍ୟପ୍ରଦେଶରେ କଂଗ୍ରେସର ୨୨ଜଣ ବିଧାୟକ ଇସ୍ତଫା ଦେବା ପରେ କମଳନାଥ ସରକାର ଏବେ ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଛି। ବର୍ତ୍ତମାନ ସରକାରରେ ରହିବାକୁ ହେଲେ କୌଣସି ଦଳକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଥିବାବେଳେ କଂଗ୍ରେସ ଏଥିରୁ ପଛରେ ପଡ଼ିଯାଇଛି। ଅନ୍ୟପଟେ ବିଜେପି ପାଖରେ କିନ୍ତୁ ୧୦୭ ବିଧାୟକ ରହିଛନ୍ତି। ତେଣୁ ଯଦି ବିଜେପି ପୁଣିଥରେ ମଧ୍ୟପ୍ରଦେଶରେ ସରକାରକୁ ଫେରିବ ବୋଲି କୁହାଯାଉଛି।