ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ୧୪୪ ଧାରା ଉଲ୍ଲଘଂନ କରି ଫସିଲେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜକ। କରୋନା ଭାଇରସ ପାଇଁ ସମଗ୍ର ଗଞ୍ଜାମ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି, ହେଲେ ଏହାକୁ ଉଲ୍ଲଘଂନ କରି ଡ଼େଙ୍ଗାପଦର ପଞ୍ଚାୟତ ନାରାୟଣପୁର ଗ୍ରାମରେ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ ହୋଇଥିଲା। ସେଥିପାଇଁ ଆୟୋଜକଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି ପୋଲିସ।
ଗତକାଲି ରାତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରିକେଟ ଖେଳକୁ ବନ୍ଦ କରିଥିଲେ। ୧୪୪ ଧାରା ଉଲଂଘନ କରିଥିବାରୁ ସଦର ପୋଲିସ ଥାନାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜକ ଓ ଅନ୍ୟମାନଙ୍କଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ର ୧୮୮ଧାରା ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି।

କରୋନା ପାଇଁ ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪୪ ଧାରା ମଧ୍ୟ ଜାରି କରାଯାଛି। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ସଚେତନମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍କୁଲ, କଲେଜକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହାସହ ଭାରତରେ ମଧ୍ୟ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
















