ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ଦେଶବାସୀଙ୍କୁ ସମ୍ଵୋଦ୍ଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂକଳ୍ପ ଓ ଧୈର୍ଯ୍ୟର ସହ କରୋନା ମୁକାବିଲା କରିବାକୁ ଦେଶବାସୀଙ୍କୁ କଲେ ଆହ୍ଵାନ।

  • ଅର୍ଥ ବ୍ୟବସ୍ଥାକୁ କରୋନାରୁ ବଞ୍ଚାଇବାକୁ ତିଆରି ହେଉଛି ଟାସ୍କ ଫୋର୍ସ
  • ଅର୍ଥମନ୍ତ୍ରୀଙ୍କ ସହଯୋଗରେ ତିଆରି ହେବ ଟାସ୍କ ଫୋର୍ସ
  • ରବିବାର ପାଳନ ହେବ ଜନତା କର୍ଫ୍ୟୁ
  • ଔଷଧ ଓ ଖାଦ୍ୟ ପଦାର୍ଥ ପାଇଁ ଲୋକେ ବ୍ୟସ୍ତ ହେବା ଆବଶ୍ୟକ ନାହିଁ

“୨ ମାସ ହେବ ଭାରତ କରୋନା ବିରୋଧରେ ମୁକାବିଲା କରୁଛି। ଆଗକୁ ଆମମାନଙ୍କ ଭିତରେ ସଂକଳ୍ପ ଓ ଧୈର୍ଯ୍ୟ ରହିଲେ ଆମେ କରୋନା ମୁକାବିଲା କରିପାରିବା। ଆମେ ସଂକଳ୍ପ କରିବା ଉଚିତ ଯେ ଆମେ ନିଜେ ସୁସ୍ଥ ରହିବା ସହ ଅନ୍ୟଙ୍କୁ ସୁସ୍ଥ ରଖିବା। ଏହାସହ ଧର୍ଯ୍ୟର ସହ କିଛି ସପ୍ତାହ ଘରେ ରହିବା ଓ ଭିଡ଼ରୁ ବଞ୍ଚିବାକୁ ଚେଷ୍ଟା କରିବା। ଏହି ଦୁଇଟି କଥା ମନେ ରଖିଲେ ଆମେ କରୋନା ମହାମାରିକୁ ମୁକାବିଲା କରିପାରିବା” ଦେଶବାସୀଙ୍କୁ ସମ୍ଵୋଦ୍ଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କରୋନା ଭଳି ମାରାତ୍ମକ ରୋଗକୁ କିଭଳି ମୁକାବିଲା କରାଯାଇପାରିବ ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ଵୋଦ୍ଧନ କରିଛନ୍ତି। ଏହାସହ ସାମାଜିକ ଦୂରତ୍ଵ ବଢ଼ାଇବାକୁ ଚେଷ୍ଟା କରିଛନ୍ତି ମୋଦୀ। ଏନେଇ ରବିବାର ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦୀ।

ରବିବାର ପାଳନ ହେବ ଜନତା କର୍ଫ୍ୟୁ

କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ଵ ନିହାତି ଆବଶ୍ୟକ। ଏଥିପାଇଁ ରବିବାର ଜନତା କର୍ଫ୍ୟୁ ପାଳନ କରାଯିବ। ଏହି ଦିନ ସକାଳ ୭ଟାରୁ ରାତି ୯ଟା ଯାଏଁ ଦେଶବାସୀଙ୍କୁ ଘରୁ ନ ବାହାରିବାକୁ ଅପିଲ କରିଛନ୍ତି ମୋଦୀ। ଜନତା କର୍ଫ୍ୟୁ ପାଳନ ପାଇଁ ସବୁ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଜନତା କର୍ଫ୍ୟୁ ଆମକୁ କରୋନା ବିରୋଧରେ ଆଗକୁ ବଢ଼ିବାକୁ ରାସ୍ତା ଦେବ ବୋଲି ମୋଦୀ କହିଛନ୍ତି। ଏହି ଦିନ ଜରୁରୀ ସେବା ଲାଗିଥିବା ସଫେଇ କର୍ମଚାରୀ, ପୋଲିସ, ମିଡିଆ, ଡାକ୍ତରଖାନା କର୍ମଚାରୀ, ରେଲଓ୍ଵେ ଓ ବସ୍‌ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା। ରବିବାର ସନ୍ଧ୍ୟା ୫ଟାରେ ନିଜ ଘର ଆଗରେ ଛିଡ଼ା ହୋଇ ତାଳିମାରି ତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ।

ଅର୍ଥବ୍ୟବସ୍ଥା ପାଇଁ ତିଆରି ହେବ ଟାସ୍କ ଫୋର୍ସ

କରୋନା ଭାଇରସ୍‌ର ପ୍ରଭାବ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପଡ଼ିଛି। ଏହାକୁ ମୁକାବିଲା କରିବା ପାଇଁ ଏକ ଟାସ୍କ ଫୋର୍ସ ତିଆରି କରାଯିବ, ଯାହାର ନାଁ କୋଭିଡ୍‌-୧୯ ଇକୋନୋମିକ୍‌ ଟାସ୍କ ଫୋର୍ସ ରଖାଯିବ। କରୋନା ପାଇଁ ଭାରତରେ ନିମ୍ନ ଓ ମଧ୍ୟବିତ୍ତ ପରିବାର ମଧ୍ୟ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ବ୍ୟସ୍ତ ନ ହେବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନ ପାଇଁ ଔଷଧ ଓ ଖାଦ୍ୟ ପଦାର୍ଥ ଯେପରି ଅଭାବ ନପଡ଼େ ସେଥିପ୍ରତି ଆଗ ଧ୍ୟାନ ଦିଆଯାଉଛି।

ନିଜ ସଙ୍କଟ ଭାବି ଦେଶବାସୀ କରୋନାକୁ ମୁକାବିଲା କରିବା ଦରକାର

କୋରନା ମହାମାରୀକୁ ନିଜ ସଙ୍କଟ ଭାବି ଦେଶବାସୀ ମୁକାବିଲା କରିବା ଉଚିତ୍‌। ବାହାର ଦେଶରେ କରୋନା ବହୁ ଜୋରରେ ବଢ଼ିଛି। ବିଦେଶରେ ଅଧିକଲୋକଙ୍କୁ ଆଇସୋଲେଟେଡ୍‌ କରାଯାଇଛି। ବଡ଼ ବଡ଼ ବିକଶିତ ଦେଶରେ କରୋନା ପ୍ରଭାବ ଦେଖାଯାଉଛି। ବର୍ତ୍ତମାନ ବିଶ୍ଵକୁ ଏମିତି ଏକ ସଙ୍କଟ ମାଡ଼ି ଆସିଛି, ଯେଉଁ ପରିସ୍ଥିତିରେ କି କୌଣସି ଦେଶ କାହାକୁ ସାହାଯ୍ୟ କରିପାରିବ ନାହିଁ। ତେଣୁ ଏହାକୁ ନିଜ ସଙ୍କଟ ଭାବି ମୁକାବିଲା କରିବାକୁ କହିଛନ୍ତି ମୋଦୀ।

୨ ମାସ ଧରି ଭାରତବାସୀ କରୋନା ସହ ମୁକାବିଲା କରୁଛନ୍ତି। ଆଗାମୀ ଦିନରେ ଆମେ ସଚେତନ ହୋଇ କରୋନାକୁ ହରାଇ ପାରିବା ବୋଲି କହିଛନ୍ତି ମୋଦୀ। ଏହାସହ ଏହି ସଙ୍କଟ ସମୟରେ କର୍ମଚାରୀମାନଙ୍କୁ ଛୁଟି ଦେବା ଉଚିତ। ନିଜ ମାନବିକତା ସହ କର୍ମଚାରୀଙ୍କୁ ଛଟେଇ ନକରି ଏହି ସଙ୍କଟରେ ତାଙ୍କ ସହ ଛିଡ଼ା ହେବା ଦରକାର ବୋଲି ଦେଶର ଉଦ୍ୟୋଗପତିଙ୍କୁ ଅନୁରୋଧ କରିଛନ୍ତି ମୋଦୀ।

Comment