ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭୂତାଣୁକୁ ମିଳିମିଶି ମୁକାବିଲା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ରାଜ୍ୟ ତଥା ଦେଶବାସୀ କୌଣସି ପ୍ରକାର ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ କରୋନା ଭାଇରସ ବିରୋଧରେ ମୁକାବିଲା କରନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର।

‘‘ଆଜିର ଦିନରେ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତିରେ ପହଁଚିଛି। କରୋନା ଭୂତାଣୁ ସମଗ୍ର ମାନବ ଜାତିକୁ ସଙ୍କଟରେ ପକାଇଛି। ଏହା ବିଶ୍ୱଯୁଦ୍ଧଠାରୁ ବି ଭୟଙ୍କର। କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ଅନେକ ସକରାତ୍ମକ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ଲୋକଙ୍କୁ ବ୍ୟାପକ ସଚେତନ ହେବାକୁ ପଡିବ। ଯୁବପିଢି, ରାଜନୈତିକ ଦଳର କର୍ମକର୍ତ୍ତା, ଗଣମାଧ୍ୟମ ଓ ସରକାରୀ କର୍ମଚାରୀ ଏହି ଦାୟିତ୍ୱରୁ ମୁହଁ ନଫେରାଇ ସମସ୍ତେ ସାମ୍ନା କରିବା ଦରକାର’’, କହିଛନ୍ତି ଧର୍ମେନ୍ଦ୍ର।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖାଗଲେ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ସେହିପରି ଲୋକଙ୍କୁ ଧାର୍ମିକ, ବିବାହ ଉତ୍ସବ ସମେତ ଭିଡ ଅଞ୍ଚଳରେ ଅନେକ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆସନ୍ତା ରବିବାର ଦେଶର ଲୋକମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହି ‘ଜନତା କର୍ଫ୍ୟୁ’କୁ ସଫଳ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

କରୋନାର ମୁକାବିଲା କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଭଲ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅପରପକ୍ଷରେ ସାର୍କ ଦେଶଗୁଡିକରେ କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ୱ ନେଇଛନ୍ତି। ଏଥିରେ ସମସ୍ତେ ସହଯୋଗ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here