ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାରେ ବାହାର ରାଜ୍ୟର ୨୦ ହଜାର ଶ୍ରମିକ ଅଛନ୍ତି। ଲକଡାଉନ୍ ବେଳେ ସେମାନେ ନିଜ ରାଜ୍ୟକୁ ଫେରି ନାହାନ୍ତି। ସେମାନଙ୍କୁ ୨୫୦ରୁ ଅଧିକ କ୍ୟାମ୍ପରେ ରଖାଯାଇଛି। ସେମାନଙ୍କର ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। କିଛି ଜାଗାରେ ବିଭିନ୍ନ କମ୍ପାନିମାନଙ୍କ ସହାୟତାରେ କ୍ୟାମ୍ପ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ସହଯୋଗରେ କିଛି କ୍ୟାମ୍ପ କରାଯାଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।
କରୋନା ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲକ୍ଡାଉନ୍ ଆଜି ୬ ଦିନରେ ପହଞ୍ଚିଛି। ଲକ୍ଡାଉନ୍ ପ୍ରଭାବରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦୋକାନ ବଜାର ବି ବନ୍ଦ ରହିଛି। ଫଳରେ ଲୋକମାନେ ନିଜ ଘରକୁ ଫେରିପାରି ନାହାନ୍ତି।
ବାହାର ରାଜ୍ୟରେ ୧ ଲକ୍ଷରୁ ଅଧିକ ଶ୍ରମିକ ଫସିଥିବା ବେଳେ ଓଡ଼ିଶାରେ ଅନ୍ୟ ରାଜ୍ୟର ୨୦ ହଜାର ଶ୍ରମିକ ଫସିଛନ୍ତି। ବାହାର ରାଜ୍ୟରେ ଯେଉଁ ଓଡ଼ିଆମାନେ ଅଛନ୍ତି ସେମାନଙ୍କ ରହିବା, ଖାଇବା ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। ଏ ବାଦବରେ ଯାହା ଖର୍ଚ୍ଚ ହେବ ସେସବୁ ରାଜ୍ୟ ସରକାର ଭରଣା କରିବେ।
ଏପଟେ ଓଡ଼ିଶାରେ ମଧ୍ୟ ଅନ୍ୟ ରାଜ୍ୟର ୨୦ ହଜାର ଶ୍ରମିକ ଫସିଛନ୍ତି। ସେମାନଙ୍କ ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି।
















