ଓଡ଼ିଶାଲାଇଭ୍ ବ୍ୟୁରୋ
କୁହାଯାଏ ପ୍ରେମ ଅନ୍ଧ, ହେଲେ ଯେତେବେଳେ ଦୁଇ ଅନ୍ଧ ମଣିଷଙ୍କ ଭିତରେ ପ୍ରେମ ହୋଇଥିବ ତା’ କେମିତି ହୋଇଥିବ? ଜାଣିବା ପାଇଁ ପଢ଼ନ୍ତୁ ପୂରା ରିପୋର୍ଟ…
love is blind ଅର୍ଥାତ୍ ପ୍ରେମ ଅନ୍ଧ। ପ୍ରେମ ଦେଖେ ନାହିଁ ରୂପ ରଙ୍ଗ, ଧନି ଗରିବ। କେତେବେଳେ କାହା ସହ ବି ହୋଇପାରେ ଏହି ସମ୍ପର୍କ। ଏମିତି କଥା ହୁଏତ ଆପଣ ଜୀବନରେ ଅନେକ ଶୁଣିଥିବେ। ହେଲେ କେବେ ଭାବିଛନ୍ତି ଯେବେ ଦୁଇ ଦୃଷ୍ଟୀହୀନଙ୍କ ଭିତରେ ଏମିତି ସମ୍ପର୍କ ଗଢ଼ିଉଠିଥିବ ସେତେବେଳେ ତାଙ୍କ ପ୍ରେମ କାହାଣୀ କେମିତି ହୋଇଥିବ? ଆଜି ଆମେ କହିବୁ ସେମିତି ଏକ ପ୍ରେମ କାହାଣୀ ବିଷୟରେ…
ଏ କାହାଣୀ ହେଉଛି ଦିଲ୍ଲୀର ଦୁଇ ଦୃଷ୍ଟିହୀନ ଦୀପକ ଓ ଆରତୀଙ୍କର। ଉଭୟଙ୍କ ବୟସ ୨୧ବର୍ଷ। ଫେସବୁକ ଜରିଆରେ ପରସ୍ପରକୁ ଜାଣିଥିଲେ ଦୀପକ ଓ ଆରତୀ।
ଦୀପକଙ୍କ କହିବା ଅନୁସାରେ ସ୍ମାର୍ଟଫୋନରେ ଏପରି ଏକ ଆପ୍ ଅଛି, ଯାହା ସାହାଯ୍ୟରେ ଅନ୍ଧ ଲୋକମାନେ ମଧ୍ୟ ନିଜ ଫୋନକୁ ସଠିକ୍ ଭାବରେ ବ୍ୟବହାର କରିପାରିବେ। ଆପରେ ଟକ୍ ବ୍ୟାକ୍ ବ୍ୟବହାର କରି ଆପଣ ସ୍ୱର ସାହାଯ୍ୟରେ ଏହାକୁ ଚଲାଇ ପାରିବେ। ସେ ମଧ୍ୟ ଏହି ଆପ୍ ଜରିଆରେ ଆରତୀଙ୍କୁ ଜାଣିଥିଲେ। ଏହି ଆପରେ ଚିହ୍ନା ପରିଚୟ ହେବା ପରେ ଖୁବଶୀଘ୍ର ଦୁହେଁ ନିଜ ମଧ୍ୟରେ ମେସେଜ୍ ପଠାଇବା ଆରମ୍ଭ କଲେ। ଶେଷରେ ପରସ୍ପରକୁ ଫୋନ୍ ନମ୍ବର ଦେଲେ। ୨୦୧୮ ଜୁଲାଇରେ ପ୍ରଥମ ଥର ପାଇଁ ଫୋନରେ କଥା ହୋଇଥିଲେ ଦୀପକ ଓ ଆରତୀ। ଏହା ପରେ ଦୁହେଁ ବାରମ୍ବାର କଥା ହେବା ଆରମ୍ଭ କଲେ। ଧୀରେ ଧୀର ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।
କଥା ହେବାର ଦୁଇ ମାସ ପରେ ପ୍ରଥମ ଥର ପାଇଁ ଦୀପକ ଆରତୀଙ୍କୁ ଭେଟିବାକୁ ଯାଇଥିଲେ। ତା’ ପରଠୁ ଉଭୟ ନିୟମିତ ଭେଟ ହୁଅନ୍ତି। ଦୀପକଙ୍କ କହିବା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କ ପରିବାରଠୁ ଏସବୁ ଲୁଚାଇ ରଖିଛନ୍ତି। କାରଣ ତାଙ୍କ ପରିବାର ସଦସ୍ୟମାନେ ଟିକିଏ ପୁରୁଣା ଚିନ୍ତାଧାରାର। ଏବେ ଉଭୟ ଚାକିରି ଖୋଜୁଛନ୍ତି ଯାହାଦ୍ୱାରା ସେମାନେ ନିଜ ଭବିଷ୍ୟତକୁ ଭଲ ରଖିପାରିବେ।
ଆରତୀ କହନ୍ତି, “ଆମ ଦୁଇଜଣଙ୍କ ମଧ୍ୟରୁ ଜଣେ ଚାକିରି ପାଇବା ମାତ୍ରେ ଆମେ ବିବାହ ବନ୍ଧନରେ ବାନ୍ଧି ହେବୁ।’’
ଅନ୍ତର୍ଜାତୀୟ ପୁରସ୍କାର ବିଜେତା ପ୍ରସିଦ୍ଧ ଫଟୋଗ୍ରାଫର ନୀରଜ ଗେରା ଭାଲେଣ୍ଟାଇନ ଡେ’ରେ ଏକ ଫଟୋ ସିରିଜ କରିଥିଲେ। ଏହି ସିରିଜର ନାଁ ସେ ‘sacred love ‘ ରଖିଥିଲେ। ଏଥିରେ ୧୩ ଟି ଫଟୋରେ ଦୃଷ୍ଟିହୀନ ଦମ୍ପତି ଦୀପକ ଏବଂ ଆରତୀଙ୍କ ଚମତ୍କାର ପ୍ରେମ କାହାଣୀକୁ ଦର୍ଶାଯାଇଥିଲା। ଏହି ଫଟୋ ସାମ୍ନାକୁ ଆସିବା ପରେ ଯେତେବେଳେ ଦୀପକ ଓ ଆରତୀଙ୍କୁ ପଚରାଯାଇଥିଲା ଏହି ଫଟୋ ଆପଣଙ୍କ ଜୀବନରେ କିଛି ସମସ୍ୟା ଆଣିବ କି? ସେତେବେଳେ ସେମାନେ କହିଥିଲେ ଯେ ଆମେ ଚାହୁଁଛୁ ଆମ ପରିବାର ଲୋକ ଏ ଫଟୋ ଦେଖନ୍ତୁ। ଯାହଦ୍ୱାରା ସେମାନେ ଆମ ସମ୍ପର୍କ ପାଇଁ ହଁ କରିବେ।











