ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଲୋକପ୍ରିୟ ଯୋଡ଼ି ଦୀପକ-ପିଙ୍କି ପୁଣି ଫେରୁଛନ୍ତି ଜୋର୍‌କା ଝଟ୍‌କାରେ।

ଓଲିଉଡରେ ବେଶ୍‌ କେତୋଟି ସିନେମାରେ ହିରୋ ଓ ହିରୋଇନ୍‌ ଭାବେ କାମ କରିଥିବା ଦୁଇ କଳାକାର ଏବେ ପୁଣି ପରଦାକୁ ଆସୁଛନ୍ତି। ଏମାନେ ହେଲେ ଦୀପକ ଓ ପିଙ୍କି ପ୍ରିୟଦର୍ଶିନୀ।

ଦୀପକଙ୍କୁ ନାୟକ ଭାବେ ବ୍ରେକ୍‌ ଦେଇଥିଲେ ଜଣାଶୁଣା ନିର୍ମାତା ଅନାମ ଚରଣ ସାହୁ ଓ ନିର୍ଦ୍ଦେଶକ ରଞ୍ଜନ ମିଶ୍ର। ଦୀପକଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ମନ ମୋର ପ୍ରଜାପତି’। ଏଥିରେ ଦୀପକଙ୍କ ଅପୋଜିଟରେ କୋଏଲ୍ ବାନାର୍ଜୀ ଅଭିନୟ କରିଥିଲେ। ତା’ପରେ ତାଙ୍କୁ ଚାନ୍ଦ ନା ତୁମେ ତାରା, ଗଳ୍ପ ନୁହେଁ ଅଳ୍ପ ଦିନର, ତୁ ମୋ’ ସପନର ନାୟିକା, ମଥାରେ ଦେଇ ପାଟ ଓଢ଼ଣି ଓ ଆଖି ଖୋଲିଲେ ତୁ ହି ତୁ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ପିଙ୍କି ପ୍ରିୟଦର୍ଶିନୀଙ୍କ ଓଲିଉଡ ଡେବ୍ୟୁ ଫିଲ୍ମ ହେଲା ‘ତୁ ମୋ ଆରମ୍ଭ ତୁ ମୋ ଶେଷ’। ଏହାର ପ୍ରଯୋଜକ ହେଲେ ରବୀନ୍ଦ୍ର କୁମାର ପଣ୍ଡା। ଏଥିରେ ପିଙ୍କିଙ୍କ ନାୟକ ଭାବେ ନଜର ଆସିଥିଲେ ମଣ୍ଟୁ। ତା’ପରେ ପିଙ୍କି ‘ଆସିଲୁ ଯେବେ ତୁ ଯାଅନା ଫେରି’, ତୁ ମୋ’ ସପନର ନାୟିକା, ଲେଖିଛି ନାଆଁ ତୋ’ର ଓ ଦିଲ୍‌କା ରାଜା ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ଅଭିନୟ କରିଛନ୍ତି।

ପିଙ୍କି ପ୍ରିୟଦର୍ଶିନୀ ଇତିମଧ୍ୟରେ ଦୀପକ, ସମ୍ବିତ, ମଣ୍ଟୁ ଓ ଜ୍ୟୋତିଙ୍କ ପରି ନାୟକଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଛନ୍ତି।

ଦୀପକ-ପିଙ୍କିଙ୍କ ‘ଜୋର କା ଝଟକା’

ସମ୍ପ୍ରତି ଏକ ଓଡ଼ିଆ ସିନେମାର ସୁଟିଂ ଚାଲିଛି। ଏହାର ଟାଇଟଲ୍‌ ହେଲା ‘ଜୋର୍‌କା ଝଟ୍‌କା’। ରବୀନ୍ଦ୍ର ନାଥ ପଣ୍ଡାଙ୍କ ନିବେଦିତ ଏହି ସିନେମାରେ ଦର୍ଶକ ପୁଣି ଥରେ ଦୀପକ-ପିଙ୍କି ପ୍ରିୟଦର୍ଶିନୀଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ।

‘ଜୋର୍‌କା ଝଟ୍‌କା’ ଏକ ରୋମାଣ୍ଟିକ୍‌ କମେଡି। ଏଥିରେ ଦୀପକ ପିଙ୍କିଙ୍କ ବ୍ୟତୀତ ହରି ଓ ପ୍ରତିଭା ପଣ୍ଡା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ରବୀନ୍ଦ୍ର ନାଥ ପଣ୍ଡାଙ୍କ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମଦାର।

ଦୀପକ ଓ ପିଙ୍କିଙ୍କୁ ଦର୍ଶକ ସର୍ବପ୍ରଥମେ ରବୀନ୍ଦ୍ର ନାଥ ପଣ୍ଡାଙ୍କ ଫିଲ୍ମ ‘ତୁ ମୋ’ ସପନର ନାୟିକା’ରେ ଏକାଠି ଦେଖିବାକୁ ପାଇଥିଲେ। ଏଥିରେ ଦୀପକ-ପିଙ୍କିଙ୍କ ଯୋଡ଼ିକୁ ବି ପସନ୍ଦ କରିଥିଲେ ଦର୍ଶକ।

ତେବେ ଏହା ପରେ ଦୀପକ-ପିଙ୍କିଙ୍କ ଯୋଡ଼ିକୁ ନେଇ ଦୁଇଟି ଓଡ଼ିଆ ସିନେମାର ଟାଇଟଲ୍‌ ଘୋଷଣା କରାଯାଇଥିଲା। ଏପରିକି ଗୋଟିକର ମହୁରତ ବି ସରିଲାଣି। ହେଲେ ସେ ଦୁଇଟି ସିନେମାର ସୁଟିଂ ଆରମ୍ଭ ହୋଇନାହିଁ। ଏହି ଦୁଇଟି ସିନେମା ଭିତରୁ ଗୋଟିଏ ହେଲା ‘ତୁ ମୋ’ ନୀଳ ନୟନା’ ଓ ଅନ୍ୟଟି ହେଲା ‘ଲଭ୍‌ ଟ୍ୱେଣ୍ଟି ଟ୍ୱେଣ୍ଟି’। ଏଥିମଧ୍ୟରୁ ପ୍ରଥମଟି ଥିଲା ସଫ୍‌ଟ ରୋମାଣ୍ଟିକ୍ ଓ ଅନ୍ୟଟି ରୋମାଣ୍ଟିକ୍‌ କମେଡି। ଏବେ ଦେଖିବାକୁ ବାକି ରହିଲା ଦୀପକ ଓ ପିଙ୍କିଙ୍କ ‘ଜୋର୍‌କା ଝଟ୍‌କା’ ଦର୍ଶକଙ୍କୁ କିଭଳି ଝଟ୍‌କା ଦେଉଛି।

Comment