ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡକୁ ଫେରୁଛନ୍ତି ଏକ ପୁରୁଣା ହିଟ୍ ଯୋଡ଼ି ଏହି ଯୋଡ଼ି ହେଲେ ଦୀପକପିଙ୍କି ପ୍ରିୟଦର୍ଶିନୀ ଆସନ୍ତୁ ଜାଣିବା କେଉଁ ସିନେମାରେ ଫେରୁଛନ୍ତି

ଓଲିଉଡରେ ଏମିତି ବି ଘଟିଛି ଯେ ଏକ ଅନ୍‌ସ୍କ୍ରିନ୍‌ ଯୋଡ଼ି ହିଟ୍ ହେଲେ ନିର୍ଦ୍ଦେଶକମାନେ ସେହି ଯୋଡ଼ିକୁ ରିପିଟ କରିଥାନ୍ତି। ଆଉ ଏମିତି ଘଟଣା ବି ଦେଖିବାକୁ ମିଳିଛି ଯେ ଯୋଡ଼ି ହିଟ୍ ହେଲେ ବି ସେମାନଙ୍କୁ ତତକ୍ଷଣାତ୍‌ କୌଣସି ସିନେମା ମିଳେନା।

ଓଲିଉଡର ଏକ ହିଟ୍‌ ଯୋଡ଼ି ହେଲେ ଦୀପକ-ପିଙ୍କି ପ୍ରିୟଦର୍ଶିନୀ। ଏହି ଯୋଡ଼ିକୁ ଦର୍ଶକ ଖୁବ୍ ଶୀଘ୍ର ଭେଟିବେ ଏକ ନୂଆ ସିନେମାରେ, ଯାହାର ଟାଇଟଲ୍ ହେଲା ‘ତୁ ମୋ ନୀଳନୟନା’। ଏହା ଏକ ପ୍ରେମକାହାଣୀଭିତ୍ତିକ ସିନେମା।

ଦୀପକ ଆଗରୁ ବେଶ୍ କେତେଜଣ ନାୟିକାଙ୍କ ସହିତ କାମ କରୁଛନ୍ତି, ହେଲେ ସମସ୍ତଙ୍କ ସହ ତାଙ୍କ ଯୋଡ଼ି ହିଟ୍‌ ହୋ‍ଇନାହିଁ। ଦୀପକ ‘ମନ ମୋର ପ୍ରଜାପତି’ ସିନେମାରେ କୋଏଲ ବାନାର୍ଜୀ, ‘ଗଳ୍ପ ନୁହେଁ ଅଳ୍ପ ଦିନରେ ଲିପି’, ‘ଆଖି ଖୋଲିଲେ ତୁ ହି ତୁ’ରେ ସୂରମୟୀ ଓ ନମ୍ରତାଙ୍କ ସହିତ ନଜର ଆସିଥିଲେ। କିନ୍ତୁ ‘ସପନର ନାୟିକା’ରେ ହିଁ ପିଙ୍କି ପ୍ରିୟଦର୍ଶିନୀଙ୍କ ସହିତ ଦୀପକଙ୍କ ଯୋଡ଼ିକୁ ମିଳିଥିଲା ଅଧିକ ସଫଳତା।

ଅନ୍ୟପକ୍ଷରେ ପିଙ୍କି ପ୍ରିୟଦର୍ଶିନୀ ବି ‘ତୁ ମୋ ଆରମ୍ଭ ତୁ ମୋ ଶେଷ’ରେ ମଣ୍ଟୁ, ‘ଖାସ୍‌ ତୁମରି ପାଇଁ’ରେ ଦୁଷ୍ମନ୍ତ, ‘ଆସିଲୁ ଯେବେତୁ ଯାଆନା ଫେରି’ରେ ପୀୟୁଷ, ‘ଲେଖିଛି ନାଁ ତୋର’ରେ ସମ୍ବିତ, ଓ ‘ଦିଲ୍‌କା ରାଜା’ରେ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ସାଜି ପରଦାକୁ ଆସିଥିଲେ। ଦୀପକଙ୍କ ସହ ପିଙ୍କିଙ୍କ ଯୋଡ଼ି ଅବଶ୍ୟ ବେଶ୍‍ ଜମିଥିଲା ‘ସପନର ନାୟିକା’ରେ।

ଦୀପକ ଓ ପିଙ୍କି ଯୋଡ଼ିର ପ୍ରଥମ ସିନେମା ଥିଲା ‘ସପନର ନାୟିକା’। ଏହା ପରେ ଏହି ଯୋଡ଼ିକୁ ନେଇ ଜଣାଶୁଣା ପ୍ରଯୋଜକ ରବୀନ୍ଦ୍ର କୁମାର ପଣ୍ଡା ‘ଲଭ୍‌ ଟ୍ୱେଣ୍ଟି ଟ୍ୱେଣ୍ଟି’ ଟାଇଟଲରେ ଏକ ଫିଲ୍ମ କାମ ଆରମ୍ଭ କରିଥିଲେ। ଏହି ସିନେମାର ନିର୍ଦ୍ଦେଶନା ଦେବାକୁ ଚୁକ୍ତିବଦ୍ଧ ହୋଇଥିଲେ ମୃତ୍ୟୁଞ୍ଜୟ ସାହୁ। କିନ୍ତୁ ସେହି ସିନେମା ପରଦାକୁ ଆସିପାରିନଥିଲା।

ସଂପ୍ରତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶନାରେ ଏକ ନୂଆ ସିନେମା ‘ତୁ ମୋ’ ନୀଳନୟନା’ର କାମ ଆରମ୍ଭ ହୋଇଯାଇଛି। ଏଥିରେ ପିଙ୍କି ପ୍ରିୟଦର୍ଶିନୀ ହେଉଛନ୍ତି ଦୀପକଙ୍କର ନୀଳନୟନା।

ଏହି ସିନେମାର ପ୍ରଯୋଜନା କରିଛନ୍ତି ରଞ୍ଜିତ ପ୍ରଧାନ, ଡଲି ଓ ବୁଲୁ ପ୍ରଧାନ। ଏକ୍‌ସେଲ୍‌ ମୁଭିଜ୍‌ ଓ ଉଇସିଙ୍ଗ୍‌ଷ୍ଟାର ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ପ୍ରଶାନ୍ତ ଲେଙ୍କା ଓ ସୁଧୀର ପୂଜାରୀ। ଏହି ସିନେମାର ସଂଳାପ ଲେଖିଛନ୍ତି ଅଜୟ ସାମଲ ଓ ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦ୍ୟନାଥ ଦାସ।

Comment