ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କରୋନା ପାଇଁ ମା’ଙ୍କୁ ମରଶରୀରକୁ ଦେଖିବାରୁ ବଞ୍ଚିତ ହେଲେ ଜଣେ ଆରପିଏଫ୍ କର୍ମଚାରୀ। ଆନ୍ଦ୍ରପ୍ରଦେଶର ବିଜୟୱାଡାଠାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ।
ଆନ୍ଦ୍ରପ୍ରଦେଶର ବିଜୟୱାଡାର ସରକାରୀ ରେଳବାଇ ପୋଲିସରେ କାର୍ଯ୍ୟକରନ୍ତୁ କେ କାନ୍ତାରାମ। ଗୁରୁବାର ରାତିରେ ତାଙ୍କର ୬୯ବର୍ଷୀୟ ମା’ଙ୍କ ମୃତ୍ୟୁ ଘଟିଥିଲା। ହେଲେ କରୋନା ପାଇଁ କାନ୍ତାରାମ ତାଙ୍କ ମା’ଙ୍କ ମରଶରୀରକୁ ଶେଷ ଦର୍ଶନ କରିପାରିନାହାନ୍ତି।
କାନ୍ତରାମ ବର୍ତ୍ତମାନ ବିଜୟୱାଡାରେ ରହୁଥିବାବେଳେ ତାଙ୍କ ମା ବିଜୟନଗରମ ଜିଲ୍ଲାର ଏକ ଛୋଟିଆ ଗ୍ରାମରେ ତାଙ୍କ ସାନପୁଅଙ୍କ ସହ ରହୁଥିଲେ। ଗତକାଲି ରାତିରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବଡ଼ ପୁଅ କରୋନା କାରଣରୁ ନଆସିବା କାରଣରୁ ଶେଷରେ ତାଙ୍କର ସାନପୁଅ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛି।
ଏହାକୁ ନେଇ କାନ୍ତାରାମ କହିଛନ୍ତି, “ମୋତେ ମୋ ଗାଁକୁ ଯିବାକୁ ହେଲେ ୪ଟି ଜିଲ୍ଲା ଓ ୪୦ଟି ଚେକ୍ ପୋଷ୍ଟ ଅତିକ୍ରମ କରିବାକୁ ପଡ଼ିବ। ଏପରି ହେଲେ ମୁଁ ରାସ୍ତାରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିବି। ଏହାପରେ ମୁଁ ଗାଁକୁ ଗଲେ ସେଠାରେ ଥିବା ଲୋକମାନେ ମୋ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ମୁଁ ମା’ଙ୍କ ଶେଷଦର୍ଶନ ଅପେକ୍ଷା ମୋ ଦେଶବାସୀଙ୍କ ସୁରକ୍ଷା କଥା ଆଗ ଚିନ୍ତା କରିଲି।”
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଅନୁପସ୍ଥିତିରେ ତାଙ୍କର ସାନ ଭାଇ ତାଙ୍କର ସମସ୍ତ ଦାୟିତ୍ୱ ଗ୍ରହଣ କରିବ। ସେ କଦାପି ଜାଣିଶୁଣି ଦେଶବାସୀଙ୍କ ଜୀବନକୁ ବିପଦକୁ ଠେଲି ଦେଇପାରିବେ ନାହିଁ ବୋଲି କହିଛନ୍ତି।
ଆନ୍ଦ୍ରପ୍ରଦେଶରେ ଏବ କରୋନାକୁ ନେଇ ଉତ୍କଟ ପରିସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ସେଠାରେ ୧୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକମାନଙ୍କ ସୁରକ୍ଷା ପାଇଁ ସରକାର କଠୋର ପନ୍ଥା ଆପଣାଉଛନ୍ତି।


















