ନୀଳାମ୍ବର ରଥ

କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ସବୁଠୁ ବଡ଼ ଆବଶ୍ୟକତା ହେବ ଭେଣ୍ଟିଲେଟର।

ରାଜ୍ୟ ସରକାର ଏବେ ଘୋଷଣା କରିଛନ୍ତି ଯେ, ରାଜ୍ୟର ସମସ୍ତ କରୋନା ରୋଗୀଙ୍କର ଚିକିତ୍ସା କେବଳ ସରକାର ପ୍ରସ୍ତୁତ କରିଥିବା କୋଭିଡ୍‌ ହସ୍‌ପିଟାଲ୍‌ରେ ହେବ। ଅର୍ଥାତ୍‌ ରାଜ୍ୟର କୌଣସି ଘରୋଇ ଡାକ୍ତରଖାନା ଏ ବାବଦରେ ଚିକିତ୍ସା କରିପାରିବେ ନାହିଁ। ତେଣୁ ଏ କ୍ଷେତ୍ରରେ ଆଗାମୀ ଦିନରେ ସାରା ରାଜ୍ୟରୁ ଯେତେ ରୋଗୀ ବାହାରିବେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ସରକାରଙ୍କର ଦାୟିତ୍ଵ ହେବ।

ଦେଖିବାକୁ ଗଲେ ଯୋଉମାନଙ୍କୁ କରୋନା ସଂକ୍ରମଣ ହେଉଛି ସେମାନେ ସମସ୍ତେ ଗୁରୁତର ରୋଗାକ୍ରାନ୍ତ ହେବେ ନାହିଁ। ସେମାନଙ୍କ ମଧ୍ୟ ଗୋଟିଏ ଛୋଟ ପ୍ରତିଶତ ରୋଗାକ୍ରାନ୍ତ ହେବେ ଏବଂ ସେମାନେ ସାମାନ୍ୟ ଚିକିତ୍ସାରେ ବି ଭଲ ହେବେ। ଅନେକଙ୍କୁ ହସ୍ପିଟାଲକୁ ବି ଯିବାକୁ ଦରକାର ନ ପଡ଼ିପାରେ। ସମସ୍ତଙ୍କୁ ଭେଣ୍ଟିଲେଟର୍ ବି ଦରକାର ନ ପଡ଼ିପାରେ। ତେଣୁ ସମସ୍ତେ କରୋନାକୁ ନେଇ ଅତ୍ୟନ୍ତ ଭୟଭୀତ ହେବାର କାରଣ ନାହିଁ।

ବାସ୍ତବରେ କରୋନାର କୌଣସି ବିଧିବଦ୍ଧ ଚିକିତ୍ସା ନାହିଁ। ତା’ର ପ୍ରତିଷେଧକ ବର୍ତ୍ତମାନ ସୁଦ୍ଧା ବାହାରି ନାହିଁ। ତା’ର ମୁକାବିଲା ପାଇଁ ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ୍ ଖୋଲାଯାଉଛି। ତେବେ ସବୁଠୁ ଏକ ବଡ ଆବଶ୍ୟକତା ହେବ ଭେଣ୍ଟିଲେଟର୍। ତେଣୁ କରୋନା ପରିଚାଳନା ବେଳେ ଆମେ ଖାଲି ଡାକ୍ତରଖାନାରେ ବେଡ୍ ସଂଖ୍ୟା ବଢ଼ାଇଦେଲେ ଚଳିବ କି? ଏ ପ୍ରଶ୍ନ ମଧ୍ୟ ବହୁ ସଚେତନ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି। ଆସନ୍ତୁ ଶୁଣିବା ଏ ବାବଦରେ କ’ଣ କହୁଛନ୍ତି ଗ୍ଲୋବାଲ୍‌ ପବ୍ଲିକ୍‌ ହେଲଥ୍ ଏକ୍ସପର୍ଟ ଡାକ୍ତର ପିନାକୀ ପାଣିଗ୍ରାହୀ?

“କରୋନାର ଯଦି ଇନଫେକ୍ସନ ଆପଣଙ୍କର ହେଲା ତା’ ହେଲେ ଆପଣଙ୍କୁ ଭାବିବାକୁ ପଡ଼ିବ ତା’ ଭିତରୁ କୋଉମାନଙ୍କୁ ବାସ୍ତବରେ ଏହା ପ୍ରଭାବିତ କରିବ। ପ୍ରଭାବ ମାନେ ଆପଣଙ୍କୁ ସାଧାରଣତଃ ଟିକେ ଜର ହେବ। ଟିକେ ଛିଙ୍କ ହୋଇପାରେ। ନାକରୁ ପାଣି ବୋହିପାରେ। କିନ୍ତୁ ଆପଣ ଭଲ ହୋଇଯିବେ। ଆପଣ ଦେଖିବେ କରୋନାରେ ବିଭିନ୍ନ ଦେଶରେ କୋଉଠି କୋଉ ପ୍ରକାରର ମୃତ୍ୟୁ ହାର ହେଉଛି ସେଥିରୁ ଆପଣ ଜାଣିପାରିବେ ଯୋଉଠି ବୟସ୍କ ଲୋକ ଅଧିକା ଅଛନ୍ତି ସେଠାରେ ମୃତ୍ୟୁହାର ବହୁତ ଅଧିକ। ଏଇ ରୋଗ ଆମର ପିଲାମାନଙ୍କୁ ହେଉଛି, ବୟସ୍କମାନଙ୍କୁ ହେଉଛି ଆଉ ଯୋଉମାନଙ୍କ ବୟସ ଅତ୍ୟଧିକ ସେମାନଙ୍କୁ ବି ହେଉଛି। ମୁଁ ଆଗରୁ କହିଛି ଯେ ଆପଣ ଦେଖନ୍ତୁ ଇଟାଲିରେ ସମସ୍ତେ ବ୍ୟତିବ୍ୟସ୍ତ ହୋଇ ଯାଉଛନ୍ତି। ସେଠି ୧୧ରୁ ୧୨ ପ୍ରତିଶତ ମୃତ୍ୟୁହାର। କିନ୍ତୁ ସେ ଦେଶର ଜନସଂଖ୍ୟାର ଯଦି ଆପଣ ହାରାହାରି ବୟସ ଦେଖିବେ ତେବେ ତାହା ହେବ ୪୭ ବା ୪୮। ଆମେରିକାରେ ଯଦି ଆପଣ ଦେଖିବେ ଏଇ ହିସାବରେ ୩୮ (ଅର୍ଥାତ୍‌ ୧୦ କମ୍)। ଭାରତ ସୌଭଗ୍ୟକ୍ରମେ ହେଉଛି ଏକ ୟଙ୍ଗ କଣ୍ଟ୍ରି। ଏଠାରେ ହାରାହାରି ବୟସ ହେଉଛି ୨୬/୨୭।’’

“ତେଣୁ ଯଦି ଆପଣ କେବଳ ବୟସ ଉପରେ ଭାବି ଦେଖିବେ ତେବେ ଆମର ମୃତ୍ୟୁହାର କମ୍ ହେବ। ବହୁତ ଲୋକଙ୍କୁ ଆମର ସଂକ୍ରମଣ ହେଲେ ବି ସେମାନେ ରୋଗାକ୍ରାନ୍ତ ହେବେନି କି ହସ୍ପିଟାଲ୍ ଯିବା ମଧ୍ୟ ଦରକାର ହେବ ନାହିଁ। ତା’ ପରେ ଯୋଉ କହିଲେ କୋଭିଡ୍ ହସ୍ପିଟାଲ୍ ଆମର କରାଯାଇଛି, ସେଥିରେ ଯେ ସମସ୍ତଙ୍କୁ ଭେଣ୍ଟିଲେଟର ଦରକାର ହେବ ତାହା ବି ଭାବିବା ଅନୁଚିତ। ଯୋଉମାନେ ଅତ୍ୟନ୍ତ ଭାବରେ ଗୁରୁତର ହେବେ, ଯାହାର ଅନ୍ୟାନ୍ୟ ପ୍ରି-ଏକଜିଷ୍ଟିଙ୍ଗ୍ କଣ୍ଡିସନ୍ ଥିବ, ସେମାନଙ୍କର ଭେଣ୍ଟିଲେଟର ଦରକାର ହେବ। କିନ୍ତୁ ସେ ସଂଖ୍ୟାଟା ବହୁତ କମ୍। ଅବଶ୍ୟ ସବୁକଥା ନିର୍ଦ୍ଦିଷ୍ଟ ଭାବେ କହିହେବନି କାରଣ ଏ ରୋଗଟା ନୂଆ”, କହନ୍ତି ଡାକ୍ତର ପାଣିଗ୍ରାହୀ।

ବାସ୍ତବ କଥା ହେଉଛି ବିଭିନ୍ନ ସ୍ଥାନରେ ଯୋଉ କୋଭିଡ୍ ହସ୍ପିଟାଲ୍ ସବୁ ହୋଇଛି ସେଥିରେ ମୁଖ୍ୟତଃ ରୋଗୀମାନେ କ୍ଵାରେଣ୍ଟାଇନ୍ ହେବେ। କାରଣ ଏହା ହେଲେ ରୋଗଟା ଅନ୍ୟମାନଙ୍କୁ ସଂକ୍ରମିତ କରିବେନି। ଏମିତିରେ ଅନେକ ରୋଗୀ ଆପେ ଆପେ ଠିକ୍ ହୋଇଯିବେ। ଡାକ୍ତରଖାନାରେ ସେମାନଙ୍କୁ ଖାଲି ସପୋଟ୍‌ ଥେରାପି ଦିଆଯିବ। ତା’ ଭିତରୁ କିଛି ରୋଗୀଙ୍କର କିଛି ଦିନ ପାଇଁ ଭେଣ୍ଟିଲେଟର୍ ଦରକାର ପଡ଼ିପାରେ। ସେତେବେଳେ ସେହି ରୋଗୀମାନଙ୍କୁ ଭେଣ୍ଟିଲେଟର୍ ସହ ଚିକିତ୍ସା ଯୋଗାଇଦେବା ସରକାରଙ୍କ ପାଇଁ ସବୁଠାରୁ ବଡ଼ କଥା ହେବ।

coronaବର୍ତ୍ତମାନ ରାଜ୍ୟ ସରକାର ସବୁ କରୋନା ପଜିଟିଭ୍‌ ରୋଗୀଙ୍କୁ ସରକାରୀ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରୁଛନ୍ତି। କିନ୍ତୁ ହୁଏତ ସମୟ ଆସିଲେ ରୋଗୀଙ୍କ ବୟସ, ଶାରୀରିକ ଅବସ୍ଥା ଏବଂ କରୋନର ଲକ୍ଷଣ ଦେଖି ଡାକ୍ତରମାନେ ସ୍ଥିର କରିପାରନ୍ତି ଯେ କାହାକୁ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରିବେ ଏବଂ କାହାକୁ ଘରେ ରଖି ଚିକିତ୍ସା କରିବାକୁ ପରାମର୍ଶ ଦେବେ।

LEAVE A REPLY

Please enter your comment!
Please enter your name here