ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଆସନ୍ତା ଜୁନ୍ ମାସ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି।
କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଗୁରୁବାର ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟକୁ ଲକଡାଉନ୍ ଘୋଷଣା କରିଛନ୍ତି। ଫଳରେ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାଲାବନ୍ଦ ପାଳନ କରାଯିବ। ଏଥିସହିତ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
କରୋନା କବଳରୁ ମୁକୁଳିବା ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ଉପାୟ। ଏଥିଯୋଗୁଁ ଏହିଭଳି ନିଷ୍ପତ୍ତି ନେବାକୁ ପଡୁଛି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
ଏହାପୂର୍ବରୁ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କରୋନା କାରଣରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷାକୁ ବାତିଲ କରିଥିଲେ। ଫଳରେ ପିଲାମାନେ ବିନା ପରୀକ୍ଷାରେ ଆଗାମୀ କ୍ଲାସକୁ ପାସ୍ କରିଥିଲେ। ଏଥିସହିତ ଲକଡାଉନ୍ ସମୟରେ ପିଲାମାନେ ଘରେ ରହି ପାଠପଢ଼ା ଜାରି ରଖନ୍ତୁ ବୋଲି ମନ୍ତ୍ରୀ ଭିଡିଓ ଜାରି କରି କହିଥିଲେ।
















