ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ଵିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ପୂର୍ବରୁ କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

“ବର୍ତ୍ତମାନ ରାଜନଗର ଅଞ୍ଚଳକୁ ସିଲ କରାଯାଇଛି। ମହିଳା ଆକ୍ରାନ୍ତ ଜଣକ ବାହାର ରାଜ୍ୟରୁ ଆସିବା ପରେ କ୍ଵାରେଣ୍ଟାଇନର ରହିଥିଲେ। ଏହାସହ ସେ ଯେଉଁ ମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସ୍ଵାବ ସାମ୍ପଲ ନେଇ କରୋନା ଟେଷ୍ଟ ପାଇଁ ପଠାଯାଇଛି।” ଏକ ସାକ୍ଷାତକାରରେ ଏହା କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା।

ଏହାସହ ସଂପୃକ୍ତ ଅଞ୍ଚଳରେ ଦୁଇଟି ଗାଁକୁ ସିଲ କରାଯାଇ ସାନିଟାଇଜ୍ କରାଯାଇଛି। ଏହି ଦୁଇଟି ଗାଁ ଭିତରକୁ କାହାରିକୁ ଛଡ଼ା ଯାଉନାହିଁ। ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି।

corona

ଶନିବାର ଚିହ୍ନଟ ହୋଇଥିବା ୪ଜଣ କରୋନ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡ଼ା ଜିଲ୍ଲାର। ଅନ୍ୟ ଜଣକ ବିଷୟରେ କୌଣସି ସୂଚନା ମିଳି ପାରିନାହିଁ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବାରମ୍ବାର ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏଥିପାଇଁ ଏପ୍ରିଲ ୩୦ତାରିଖ ଯାଏଁ ସାରା ରାଜ୍ୟକୁ ଲକ୍‌ଡାଉନ ଘୋଷଣା କରାଯାଉଛି।

Comment