ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ସାରା ଦେଶକୁ ମେ’ ୩ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥସହିତ ଦେଶବାସୀ ଲକଡାଉନକୁ ପାଳନ କରିବାକୁ ମୋଦୀ ଅନୁରୋଧ କରିଛନ୍ତି। ତେବେ ଏପ୍ରିଲ୍ ୨୦ ତାରିଖ ପରେ କିଛି ସ୍ଥାନରେ ଏହି ଲକଡାଉନ୍ ନିୟମ କୋହଳ କରାଯାଇପାରେ ବୋଲି କୁହାଯାଇଛି।
ମୋଦୀ କହିଛନ୍ତି, “ଆଗାମୀ ଗୋଟିଏ ସପ୍ତାହ କରୋନା ମୁକାବିଲା ପାଇଁ ଅନେକ କଠୋର ନିଷ୍ପତ୍ତି ନିଆଯିବ। ୨୦ ଏପ୍ରିଲ୍ ପର୍ଯ୍ୟନ୍ତ ପ୍ରତି ଥାନା, ଜିଲ୍ଲା ଓ ରାଜ୍ୟରେ କରୋନା ସ୍ଥିତି ଯାଞ୍ଚ କରାଯିବ।”
ଏପ୍ରିଲ୍ ୨୦ ପର୍ଯ୍ୟନ୍ତ ସମୀକ୍ଷା କରିବା ପରେ ଯେଉଁ ସ୍ଥାନରେ କରୋନା ପଜିଟିଭ୍ କିମ୍ବା ସଂକ୍ରମଣ ଦେଖିବାକୁ ମିଳିବନି ସେହି ସ୍ଥାନରେ ଲକଡାଉନ୍ ନିୟମ କୋହଳ କରାଯିବ। ବିଶେଷକରି ଜରୁରୀ କାମ ପାଇଁ ଏହି ଲକଡାଉନ୍ ନିୟମ କୋହଳ କରାଯିବ। ତେବେ ଏହି କୋହଳ କରିବାର ନିୟମ ମଧ୍ୟରେ ଅନେକ ସର୍ତ୍ତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଯଦି ଏହାପରେ ସେହି ଅଞ୍ଚଳର ଜନସାଧାରଣମାନେ ଏହି ସର୍ତ୍ତ ପାଳନ ନକରନ୍ତି ତେବେ ସେଠାରେ ପୁଣି ଲକଡାଉନ୍ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ଏନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି।


















