ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ଅନେକ ରୋଚକ ତଥ୍ୟ ବିଷୟରେ ଆପଣ ଜାଣିଥିବେ। ହେଲେ ଜାପାନରେ ଏଭଳି ଏକ ଦ୍ୱୀପ ଅଛି ଯାହା ସହ ଏକାଧିକ ରୋଚକ ତଥ୍ୟ ଯୋଡ଼ି ହୋଇରହିଛି।
ଏହି ଦ୍ୱୀପର ନାଁ ହେଉଛି ଓକିନୋଶିମା। ତେବେ ଏହି ଦ୍ୱୀପଟି ତାର ଅନେକ ଗୁଡ଼ିଏ ରୋଚକ କଥାକୁ ନେଇ ବେଶ୍ ପରିଚିତ। ଏହି ଦ୍ୱୀପରେ ଅନେକ ପ୍ରକାର ଅଜବ ନିୟମ ଦେଖିବାକୁ ମିଳିଥାଏ।
୭୦୦ ବର୍ଗମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଦ୍ୱୀପରେ ମହିଳାମାନଙ୍କୁ ଯିବାକୁ ବାରଣ କରାଯାଇଛି। ଏପରିକି ଏହି ଦ୍ୱୀପକୁ ପୁରୁଷମାନଙ୍କୁ ଯିବାକୁ ହେଲେ ପ୍ରଥମେ ନିବସ୍ତ୍ର ହୋଇ ଗାଧୋଇବାକୁ ପଡ଼ିଥାଏ ବୋଲି ଜଣାପଡ଼ିଛି।
ଜାପାନର ଏହି ଦ୍ୱୀପ ଧାର୍ମିକ ଦୃଷ୍ଟିରୁ ମଧ୍ୟ ଅନେକ ଗୁରୁତ୍ୱ ବହନ କରିଛି। ଏଠାକୁ ପ୍ରତିବର୍ଷ ଲୋକମାନେ ବୁଲିବାକୁ ଆସିଥାନ୍ତି। ତେବେ ଏଠାକୁ କେବଳ ୨୦୦ ପୁରୁଷଙ୍କୁ ଯିବାକୁ ଅନୁମତି ରହିଛି। ଏଥିସହ ଏହି ପୁରୁଷମାନେ ଏହି ଦ୍ୱୀପକୁ କିଛି ବି ଜିନିଷ ଆଣିପାରିବେନି। ଏଭଳି କିଛି ଅଜବ ନିୟମ ଏଠାରେ ଦେଖିବାକୁ ମିଳିଥାଏ। ଏପରିକି ଏହି ଦ୍ୱୀପ ବୁଲି ସେମାନେ କଣ ଦେଖିଲେ ସେନେଇ ମଧ୍ୟ ସେମାନେ କାହାକୁ କହିବେ ନାହିଁ ବୋଲି କୁହାଯାଇଥାଏ।