ଓଡ଼ିଶାଲାଇଭ୍ ବ୍ୟୁରୋ

- ଜାତୀୟ ପଞ୍ଚାୟତିରାଜ ଦିବସ
- ସରପଞ୍ଚମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଲକ୍ଡାଉନ୍ ନିୟମ ପାଳନ କରିଥିବାରୁ ଦେଶବାସୀଙ୍କୁ ପ୍ରଶଂସା କଲେ ମୋଦୀ
- ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ଦେଇଛି କରୋନା
- ୧.୨୫ ଲକ୍ଷ ପଞ୍ଚାୟତରେ ଇଣ୍ଟରନେଟ୍ ସେବା
- ଇ-ଗ୍ରାମ ସ୍ୱରାଜ ଏବଂ ସ୍ୱାମୀତ୍ୱ ଯୋଜନା ଶୁଭାରମ୍ଭ
ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁ ସରପଞ୍ଚମାନଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ପ୍ରାୟ ଦେଢ଼ ଘଣ୍ଟାର ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ଗାଁ ଲୋକଙ୍କୁ ପ୍ରଶଂସା କରିଥିଲେ। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିଥିଲେ ତାକୁ ଗାଁ ଲୋକେ ଅକ୍ଷରେ ଅକ୍ଷରେ ପାଳନ କରିଥିବାରୁ ମୋଦୀ ସମସ୍ତଙ୍କୁ ଧନ୍ୟବାଦ କହିଥିଲେ।
‘‘କରୋନା ଭାଇରସ୍ ଆମ ପାଇଁ ଅନେକ ସମସ୍ୟା ଆଣିଛି। ସବୁ ଦେଶକୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ମଧ୍ୟ ଦେଇଛି କରୋନା। କରୋନା ନିୟନ୍ତ୍ରଣ ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ସରକାର ସମସ୍ତଙ୍କୁ ଅପିଲ୍ କରିଥିଲେ। ହେଲେ ଗ୍ରାମବାସୀମାନେ ‘ଦୁଇ ଗଜ’ ଦୂରତା ରକ୍ଷା କରି ବିଶ୍ୱବାସୀଙ୍କୁ କରୋନା ମୁକାବିଲା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
କରୋନା କାମ କରିବାର ଶୈଳୀ ବଦଳାଇ ଦେଇଛି
କରୋନା ଏବେ ଜୀବନଶୈଳୀକୁ ବଦଳାଇ ଦେଇଛି। କାମ କରିବାର ଶୈଳୀ ମଧ୍ୟ ବଦଳି ଯାଇଛି। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଏହାର ପ୍ରମାଣ ଆଜିର ଭିଡିଓ କନଫରେନ୍ସିଂ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯଦି କରୋନା ଭାଇରସ୍ ସାରା ବିଶ୍ୱକୁ କବଳିତ କରିନଥାନ୍ତା ତାହାଲେ ଭିଡିଓ କନଫରେନ୍ସିଂର ଆବଶ୍ୟକତା ପଡ଼ି ନଥାନ୍ତା। ଏହାସହ ପ୍ରତ୍ୟେକ ଦେଶକୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ଦେଇଛି କରୋନା। ପ୍ରତି ଜିଲ୍ଲା, ପଞ୍ଚାୟତ ଏବଂ ଗାଁ ଆତ୍ମନିର୍ଭରଶୀଳ ହେବାର ସଂକଳ୍ପ କରନ୍ତୁ।
୧.୨୫ ଲକ୍ଷ ପଞ୍ଚାୟତରେ ଇଣ୍ଟରନେଟ୍
୫ ବର୍ଷ ତଳେ ଦେଶର ମାତ୍ର ୧୦୦ ପଞ୍ଚାୟତରେ ଇଣ୍ଟରନେଟ୍ ସଂଯୋଗ ରହିଥିଲା। ହେଲେ ଏବେ ୧.୨୫ ଲକ୍ଷ ପଞ୍ଚାୟତକୁ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଇଛି। ପଞ୍ଚାୟତିରାଜ ବ୍ୟବସ୍ଥାଗୁଡ଼ିକୁ ଅତ୍ୟାଧୁନିକ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ୩ ଲକ୍ଷ କମନ୍ ସର୍ଭିସ୍ ସେଣ୍ଟର କାମ କରୁଛି। ଏହି ସଫଳତା ପାଇଁ ହିଁ ଆଜି ଆମେ ସମସ୍ତେ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇପାରିଛେ। ସହର ଏବଂ ଗାଁ ଭିତରେ ଦୂରତା କମାଇବା ପାଇଁ କେନ୍ଦ୍ର ସରକାର ଇ-ଗ୍ରାମ ସ୍ୱରାଜ ଏବଂ ଗ୍ରାମବାସୀଙ୍କ ପାଇଁ ସ୍ୱାମୀତ୍ୱ ଯୋଜନା ଶୁଭାରମ୍ଭ କରିଛନ୍ତି।
ଇ-ଗ୍ରାମ ସ୍ୱରାଜ ଏବଂ ସ୍ୱାମୀତ୍ୱ ଯୋଜନା
ନିଜ ପଞ୍ଚାୟତରେ କ’ଣ କ’ଣ ହେଉଛି ସେ ବିଷୟରେ ସମସ୍ତ ତଥ୍ୟ ପ୍ରତ୍ୟେକ ନାଗରିକଙ୍କୁ ଜାଣିବାର ଅଧିକାର ରହିଛି। ଏଥିପାଇଁ ଇ-ଗ୍ରାମ ସ୍ୱରାଜ ଯୋଜନା ଆରମ୍ଭ କରାଯାଇଛି। ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ, ପାଣ୍ଠି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଏହି ପ୍ଲାଟଫର୍ମରେ ମିଳିପାରିବ। ଏଥିରେ ସ୍ୱଚ୍ଛତା ବଢ଼ିବ।
ସ୍ୱାମୀତ୍ୱ ଯୋଜନାରେ ଗାଁର ସମସ୍ତ ସମ୍ପତ୍ତିକୁ ଡ୍ରୋନ୍ କ୍ୟାମେରା ସହାଯ୍ୟରେ ମ୍ୟାପିଂ କରାଯିବ। ସମ୍ପତ୍ତି ବାଡ଼ିକୁ ନେଇ ଗାଁରେ ଯେଉଁ ଝଗଡ଼ା ହେଉଥିଲା ତାହା ବନ୍ଦ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଫଳରେ ପଞ୍ଚାୟତରେ ବିକାଶମୂଳକ କାମ ଅଧିକ ହୋଇପାରିବ। ବ୍ୟାଙ୍କରୁ ୠଣ ମିଳିବା ମଧ୍ୟ ସହଜ ହେବ।
୨୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା
ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ମେ’ ୩ରେ ଶେଷ ହେବ। ଏହାର ୬ ଦିନ ପୂର୍ବରୁ ଏପ୍ରିଲ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ। ଏହାପ ର୍ବୂରୁ ଦୁଇ ଥର ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ତେବେ ଏପ୍ରିଲ ୨୭ରେ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

















