ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଦେଶର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
- ସରପଞ୍ଚମାନଙ୍କ ସହ କଥା ହେଲେ ମୋଦୀ
- ଆରମ୍ଭ ହେଲା ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଏବଂ ଆପ୍
- ସ୍ୱାମିତ୍ୱ ଯୋଜନାରେ ଲକ୍ଷେରୁ ଅଧିକ ଗ୍ରାମକୁ ବ୍ରଡବ୍ୟାଣ୍ଡ ସୁବିଧା
- ବିଶ୍ୱକୁ ‘ଦୁଇ ଗଜ ଦୂରତା’ର ମନ୍ତ୍ର ଦେଇଛନ୍ତି ଗ୍ରାମବାସୀ – ମୋଦୀ
କରୋନା ଭାଇରସ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ମୋଦୀ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଓ ଆପ ସହିତ ଏବଂ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି।
ଏହି ଆପ୍ ଓ ପୋର୍ଟାଲରେ ପଞ୍ଚାୟତମାନଙ୍କୁ ମିଳୁଥିବା ସମସ୍ତ ଆର୍ଥିକ ଫଣ୍ଡର ବିବରଣୀ ରହିବ। ଏଥିସହିତ ଗ୍ରାମ ପଞ୍ଚାୟତଗୁଡ଼ିକ କଣ ସବୁ କାମ କରୁଛନ୍ତି ସେନେଇ ମଧ୍ୟ ଏହି ଆପରେ ବିବରଣୀ ରହିବ। ଏହାଫଳରେ ଗ୍ରାମପଞ୍ଚାୟତଗୁଡ଼ିକ ନିଜର ପାରଦର୍ଶିତା ଦେଖାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେହିଭଳି ସ୍ୱାମିତ୍ୱ ଯୋଜନାରେ ପୂର୍ବରୁ କେବଳ ୧୦୦ଟି ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସହ ଯୋଡ଼ା ଯାଇଥିଲା। ହେଲେ ଆଜି ପ୍ରାୟ ଲକ୍ଷେରୁ ଅଧିକ ପଞ୍ଚାୟତରେ ଏହି ସୁବିଧା ପହଞ୍ଚିପାରିଛି ବୋଲି ମୋଦୀ କହିଛନ୍ତି।
ଏଥିସହ ମୋଦୀ କହିଛନ୍ତି, “କରୋନା ମୁକାବିଲା କ୍ଷେତ୍ରରେ ଗ୍ରାମ ପଞ୍ଚାୟତଗୁଡ଼ିକ ପ୍ରମୁଖ ଭୂମିକା ନେଇଛନ୍ତି। ସେମାନେ ସାରା ବିଶ୍ୱକୁ ‘ଦୁଇ ଗଜ ଦୂରତା’ର ମନ୍ତ୍ର ଶିକ୍ଷା ଦେଇଛନ୍ତି। ପରସ୍ପରଠାରୁ ଦୁଇ ଗଜ ଦୂରରେ ରହି ହିଁ କରୋନାକୁ ହରାଯାଇପାରିବ ବୋଲି ଗାଁର ଲୋକମାନଙ୍କଠାରୁ ହିଁ ଶିକ୍ଷା ମିଳିଛି।”
କରୋନା ମହାମାରୀ ଯୋଗୁଁ ଆମ ସମସ୍ତଙ୍କର କାମ କରିବାର ତରିକା ବଦଳିଯାଇଛି। ଆମେମାନେ ସାମନା ସାମନି ଥିଲେ ମଧ୍ୟ କଥା ହୋଇପାରୁନେ। ପଞ୍ଚାୟତିରାଜ ଦିବସର ପ୍ରକୃତ ଅର୍ଥ ହେଲା ପ୍ରତିଟି ଗାଁରେ ସ୍ୱରାଜ। ବର୍ତ୍ତମାନ କରୋନା ସଙ୍କଟ ସମୟରେ ଏହି ସ୍ୱରାଜ ପ୍ରତିଟି ଗାଁରେ ଆବଶ୍ୟକ ହୋଇପଡ଼ିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଶେଷରେ ସେ କହିଛନ୍ତି ଯେ, କରୋନା କାରଣରୁ ଅନେକ ପ୍ରକାର ସଙ୍କଟ ଦେଖାଦେଇଛି। ଯାହାକି ଆମକୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ଦେଇଛି। ଏଭଳି ପରିସ୍ଥିତିରେ ଗ୍ରାମ ପଞ୍ଚାୟତଗୁଡ଼ିକ ମଜଭୁତ୍ ହେବା ଦରକାର, ଏପରି ହେଲେ ହିଁ ଆମର ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ମୋଦୀ କହିଛନ୍ତି।


















