ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଓଡ଼ିଆ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରହିଛି। ଲକ୍‌ଡାଉନ ସମୟରେ ଓଡ଼ିଆ ଭାଇ ଭଉଣୀଙ୍କ ସହ ସେମାନେ ଠିଆ ହୋଇଛନ୍ତି। ଅନ୍ୟ ସଂସ୍ଥା ଭଳି ମହାରାଷ୍ଟ୍ର ଓଡ଼ିଆ ଓ୍ୱେଲଫେୟାର ଆସୋସିଏସନ ଆଗେଇ ଆସିଛି।

କାମ ଧନ୍ଦା ପାଇଁ ମହାରାଷ୍ଟ୍ର ଯାଇଥିବା ଅନେକ ଓଡ଼ିଆ ଲକଡାଉନ୍‌ ପାଇଁ ଏବେ ସେଠାରେ ଫସି ରହିଛନ୍ତି। ଯଦିଓ ସେମାନଙ୍କୁ ସାହାଯ୍ୟ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି, ତଥାପି ଏହି ପରିସ୍ଥିତିରେ ସେମାନଙ୍କୁ ଅଧିକରୁ ଅଧିକ ସାହାଯ୍ୟର ଆବଶ୍ୟକତା ରହିଛି।  ତେଣୁ ଏହାକୁ ଦୃଷ୍ଟିରେ ଓଡ଼ିଆମାନଙ୍କୁ ସହାୟତାର ହାତ ବଢ଼ାଇଛି ମହାରାଷ୍ଟ୍ର ଓଡ଼ିଆ ଓ୍ୱେଲଫେୟାର ଆସୋସିଏସନ।

ଲକଡାଉନରେ ଫସି ରହିଥିବା ଓଡ଼ିଆଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଦେବାଠାରୁ ଆରମ୍ଭ କରି ସେମାନଙ୍କ ସୁବିଧା ଅସୁବିଧାରେ ସାଥୀ ହୋଇଛି  ଆସୋସିଏସନ। ସେଠାରେ ଓଡ଼ିଆମାନଙ୍କୁ କିଭଳି ସାହାଯ୍ୟ ପ୍ରଦାନ କରାଯାଉଛି ସେନେଇ ସୂଚନା ଦେଇଛନ୍ତି ଆସୋସିଏସନର ସଭାପତି ତଥା ସେଠାକର ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ଭଗବାନ ପଣ୍ଡା। ଭଗବାନ ପଣ୍ଡା ହେଉଛନ୍ତି ଜଣେ ଓଡ଼ିଆ। ତାଙ୍କ ଘର ଗଞ୍ଜାମରେ। ଦୀର୍ଘ ୫୦ ବର୍ଷ ହେଲା ସେ ସେଠାରେ ରହୁଛନ୍ତି।

ଭଗବାନ ପଣ୍ଡାଙ୍କ କହିବା ଅନୁସାରେ ଏହି ଲୋକଙ୍କର ଏବେ ମୁଖ୍ୟ ଆବଶ୍ୟକତା ହେଉଛି ଖାଦ୍ୟ। ସେଥିପାଇଁ ଆସୋସିଏସନ ପ୍ରଥମେ ସେମାନଙ୍କୁ ଖାଦ୍ୟ ଯୋଗାଉଛି। ପ୍ରତିଦିନ ଚାଉଳ, ଡାଲି, ଗହମ, ତେଳ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ସେମାନଙ୍କୁ ବଣ୍ଟାଯାଉଛି। ଲୋକଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ଦୁଇଟି ଭ୍ୟାନ ଚାଲୁଛି। ଯେଉଁମାନେ ଖାଦ୍ୟ ଯୋଗାଇବାକୁ ଯାଉଛନ୍ତି ସେମାନେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଅନୁସରଣ କରୁଛନ୍ତି। ମାସ୍କ ପିନ୍ଧି, ଗ୍ଲୋଭ୍‌ସ ବ୍ୟବହାର କରି ପାଖରେ ସାନିଟାଇଜର ରଖି ସେମାନେ ଖାଦ୍ୟ ଯୋଗାଉଛନ୍ତି।

‘‘ଯେଉଁ ଓଡ଼ିଆମାନେ ଏବେ ଏଠାରେ ପ୍ରତିଷ୍ଠିତ ହୋଇ ଅଛନ୍ତି ଓ ଯେଉଁମାନେ ଆମ ଯୋଗାଯୋଗରେ ଅଛନ୍ତି ସେହିମାନେ ଏହି ମହତ କାମ ପାଇଁ ସାହାଯ୍ୟ କରୁଛନ୍ତି। ଜଗନ୍ନାଥ ମନ୍ଦିର ଟ୍ରଷ୍ଟରୁ କିଛି ଟଙ୍କା ମଧ୍ୟ ଏହି କାମରେ ଲାଗୁଛି’’, କହିଛନ୍ତି ଭଗବାନ ପଣ୍ଡା।

ତେବେ ଅନ୍ୟମାନେ ମଧ୍ୟ ଏହି କାମ ପାଇଁ ଆସୋସିଏସନକୁ ସାହାଯ୍ୟ କରିପାରିବେ। ୯୯୬୭୦୦୦୪୪୧ ଏବଂ ୯୮୨୦୧୯୧୬୫୩ ନମ୍ବରରେ ଯୋଗାଯୋଗ କରି ଏହି ମହତ କାମରେ ନିଜର ଯୋଗଦାନ ଦେଇପାରିବେ।

ସବୁଠୁ ଗରୁତ୍ୱପୂର୍ଣ୍ଣ କଥା ଆସୋସିଏସନ ଲୋକଙ୍କ ଆବଶ୍ୟକତା ଅନୁସାରେ ସାହାଯ୍ୟ କରୁଛି। ବର୍ତ୍ତମାନ କେବଳ ଖାଦ୍ୟ ସାମଗ୍ରୀ ଯୋଗାଉଥିଲା ବେଳେ ଆଗାମୀ ଦିନରେ ଯଦି କାହାର କିଛି ସମସ୍ୟା ହୁଏ ତେବେ ସେମାନଙ୍କୁ ଆଶ୍ରୟ ଦେବା ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରୁଛି।

ଅନ୍ୟପକ୍ଷରେ ଏହି ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଆଣିବା ପାଇଁ ରାଜ୍ୟ ସରକାର ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ସହ ଆଲୋଚନା କରୁଥିଲା ବେଳେ ଆସୋସିଏସନ ବି ଲଗାତର ଯୋଗଯୋଗ କରୁଛି। କିଛି ନିଷ୍କର୍ଷ ବାହାରିଲା ପରେ ବସ୍ ଯୋଗେ ସେମାନଙ୍କୁ ସୁରକ୍ଷିତ ଭାବେ ପଠାଇବାକୁ ବ୍ୟବସ୍ଥା କରାଯିବ।

ପୂର୍ବରୁ ‘ଫନି’ ସମୟରେ ମଧ୍ୟ ଭଗବାନ ପଣ୍ଡା ଓଡ଼ିଶା ଆସି ବାତ୍ୟା ବିପନ୍ନଙ୍କୁ ସାହାଯ୍ୟ କରିଥିଲେ। ଖାଦ୍ୟ ସାମଗ୍ରୀ ଆଣି ଆସୋସିଏସନର ସଦସ୍ୟମାନେ ବାତ୍ୟା ବିପନ୍ନଙ୍କୁ ରିଲିଫ୍ ପ୍ରଦାନ କରିଥିଲେ।