ଓଡ଼ିଶାଲାଇଭ ବ୍ୟୁରୋ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍ର ଏକ ପ୍ରୟାସ। #UtkalGouravMadhusudan
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବ୍ୟବହୃତ ସାମଗ୍ରୀଗୁଡିକୁ ସୁରକ୍ଷିତ ରଖିବା ନିମନ୍ତେ ମଧୁବାବୁଙ୍କ କର୍ମସ୍ଥଳୀ କୋଠାକୁ ସଂଗ୍ରହାଳୟରେ ପରିଣତ କରାଯାଇଛି। ଏହା ଶୈଳବାଳା ମହାବିଦ୍ୟାଳୟ ପରିସରରେ ରହିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୯ଲକ୍ଷ ଟଙ୍କା ବ୍ୟୟରେ ଏହି ମ୍ୟୁଜିୟମକୁ ନୂଆ ରୂପ ଦିଆଯାଇଛି। ଚଟ୍ଟାଣ, କାନ୍ଥ, ଆଲମୀରା ଠାରୁ ଆରମ୍ଭ କରି ଆଲୋକ ସଜ୍ଜା ପର୍ଯ୍ୟନ୍ତ ସବୁକୁ ନବୀକରଣ କରାଯାଇଛି।
ସଂଗ୍ରହାଳୟରେ ମଧୁବାବୁ ପରିଧାନ କରୁଥିବା କୋର୍ଟ, ପାଇଜାମା, ଜୋତା, ଘଣ୍ଟା, ଛତା, କଲମ, ଦୂଆତ, ଟୀକା, ବହୁ ବିରଳ ଦସ୍ତାବିଜଗୁଡିକୁ ଆଲମୀରାରେ ସଜ୍ଜା ଯାଇଛି। ସେହିପରି ମ୍ୟୁଜିୟମ ପ୍ରବେଶ ସ୍ଥାନରେ ମଧୁବାବୁଙ୍କ ଅନେକ ତୈଳଚିତ୍ର ନୂଆ କରି ସ୍ଥାନ ପାଇଛି।
୨୦୦୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂଗ୍ରହାଳୟକୁ ଉଦଘାଟନ କରିଥିଲେ। ଏଠାରେ ମଧୁବାବୁଙ୍କ ବ୍ୟବହୃତ ଚଷମା, ଟୋପି, ପୋଷାକ, ଖଟ, ବିଭିନ୍ନ କାଠ ସାମଗ୍ରୀ, ଜୋତା, ଚପଲ, କଂସା, ପିତଳ, ଔଷଧ ସାମଗ୍ରୀ ଏବଂ ମଧୁବାବୁ ପାଇଥିବା ବିଭିନ୍ନ ପୁରସ୍କାର ଆଦି ସ୍ଥାନ ପାଇଛି। ସଂଗ୍ରହାଳୟ ବର୍ତ୍ତମାନ ଗୋଟିଏ କକ୍ଷ ମଧ୍ୟରେ ସୀମିତ ହୋଇ ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଦେଶ ବିଦେଶରୁ ଦର୍ଶକ ଏହି ସଂଗ୍ରହାଳୟକୁ ଦେଖିବାକୁ ପ୍ରତିଦିନ ଆସିଥାନ୍ତି।
ମଧୁବାବୁଙ୍କ କର୍ମସ୍ଥଳୀ ଭାବେ ବିବେଚନା କରାଯାଉଥିବା ଏହି କୋଠାର ଉପର ମହଲାକୁ ସଂଗ୍ରହାଳୟରେ ପରିଣତ କରାଯାଇପାରିନାହିଁ। ଏଠାରେ ଶୈଳବାଳା ମହିଳା ମହାବିଦ୍ୟାଳୟର ଅଫିସ ଚାଲୁଛି।
ଗତ ଜାନୁଆରୀ ୨୦୧୮ରୁ ଏପ୍ରିଲ ୨୦୧୯ ମଧ୍ୟରେ ମ୍ୟୁଜିୟମକୁ ୧୦୮୫ ଜଣ ଦର୍ଶକ ବୁଲି ଆସିଛନ୍ତି ବୋଲି ସଂଗ୍ରହାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସଂଗ୍ରହାଳୟ ପୂର୍ବାହ୍ନ ୧୦ଟାରୁ ଅପରାହଣ ୫ଟା ଯାଏଁ ଖୋଲା ରହିଥାଏ। ପ୍ରତି ସୋମବାର ଓ ସରକାରୀ ଛୁଟି ଦିନଗୁଡିକରେ ସଂଗ୍ରହାଳୟ ବନ୍ଦ ରହିଥାଏ।
ଦୈନିକ ୧୦ ରୁ ୧୫ ଜଣ ଦର୍ଶକ ସଂଗ୍ରହାଳୟ ପରିଦର୍ଶନରେ ଆସୁଛନ୍ତି ବୋଲି କ୍ୟୁରେଟର ପ୍ରମୋଦ କୁମାର ବରାଳ ସୂଚନା ଦେଇଛନ୍ତି। ୨୦୦୭ ମସିହାରୁ ଦୀର୍ଘ ୧୨ ବର୍ଷ ଧରି ସେ ଏହି ମ୍ୟୁଜିୟମ ତତ୍ୱାବଧାନ କରିଆସୁଛନ୍ତି।
ସଂପ୍ରତି ଜଣେ ମାତ୍ର କର୍ମଚାରୀ ଭାବେ ସେ ସବୁ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ବରାଳ କହିଛନ୍ତି। ମଧୁବାବୁଙ୍କ ନାମରେ ନାମିତ ଏହି ସଂଗ୍ରହାଳୟକୁ ଆସୁଥିବା ପରିଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ପରିଦର୍ଶକ ସ୍ମୃତିରେଖା ପାଳ କହିଛନ୍ତି।
ମଧୁସୂଦନ ଦାସ ଥିଲେ ଓଡିଆ ଜାତିର ପ୍ରାଣ ସ୍ପନ୍ଦନ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ବିଶେଷ ଅବଦାନ ଥିଲା। ମ୍ୟୁଜିୟମ ଉପର ମହଲାକୁ ସଂଗ୍ରହାଳୟରେ ପରିଣତ କରିବା ସହିତ ଏହା ବାହାରକୁ କିପରି ଦୃଶ୍ୟମାନ ହୋଇପାରିବ, ଏହାର ବନ୍ଦୋବସ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।