ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଦେଶର ସବୁଠୁ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡ଼ିଆ ଭାଇଭଉଣୀ ଓଡ଼ିଶାକୁ ଫେରିବେ। ସେମାନେ ଆମ ଭାଇ ଭଉଣୀ। ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ୱ’’, ଭିଡିଓ ବାର୍ତ୍ତା ଜାରି କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗତ ୧୦ ଦିନ ତଳେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜାରି କରିଥିଲେ। ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା। ଏବେ ତାହା ଦୁଇ ଗୁଣ ବଢିଗଲାଣି। କିନ୍ତୁ ଡ଼ରିବାର କିଛି ନାହିଁ। ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ବର୍ତ୍ତମାନ କରୋନା ପଜିଟିଭମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦। ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ। ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବାହାରୁ ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢିବ। ଯଦି ଲୋକମାନେ ସରକାରଙ୍କୁ ସହଯୋଗ କରିବେ ତାହାଲେ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।
‘‘ଓଡ଼ିଶା ପ୍ରଥମ ରାଜ୍ୟ, ଯିଏ କି ରାଜ୍ୟ ବାହାରୁ ଆସିବାକୁ ଥିବା ଲୋକମାନଙ୍କର ରେଜିଷ୍ଟ୍ରେସନ ଆରମ୍ଭ କଲା। ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି। ଆପଣମାନେ ସହଯୋଗ କଲେ। ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ। ତା’ ପରେ ଚ୍ୟାଲେଞ୍ଜ ହେଲା ନିଜାମୁଦ୍ଦିନ୍ରୁ ଫେରୁଥିବା ବନ୍ଧୁମାନଙ୍କ ଠିକ୍ ଭାବରେ ଯତ୍ନ ନେବା। ଏଥିରେ ବି ଆପଣମାନେ ସହଯୋଗ କଲେ। ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘‘ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କଠାରୁ ବହୁତ ଭଲ ଅଛି। ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୂରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ। ଆମ ପରିବାର ସୁସ୍ଥ ରହିବ। ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ। ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇପାରେ। ଏହା ହେଉଛି ଜୀବନ ଓ ମୃତ୍ୟୁର କଥା। ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁଁ ସମସ୍ୟା ୧୦୦ ଗୁଣ ବଢିଯିବ।’’


















