ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେରଳରୁ ଆସି କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଲେ ୨୮୩ ଜଣ ପ୍ରବାସୀ ଓଡ଼ିଆ। ରାଜ୍ୟ ସରକାରଙ୍କ ସହାୟତାରେ ଆଜି ଏକ ସ୍ୱତନ୍ତର ଟ୍ରେନ୍ ଜରିଆରେ ଏହି ଲୋକମାନେ ପ୍ରଥମେ ଖୋର୍ଦ୍ଧା ରୋଡରେ ଓହ୍ଲାଇଥିଲେ। ଏହାପରେ ସେଠାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ବସ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲାକୁ ନିଆଯାଇଛି।
୧୧୫୦ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର କେରଳରୁ ଓଡ଼ିଶା ଆସିଛି। ରବିବାର ଟ୍ରେନଟି ପ୍ରଥମେ ବ୍ରହ୍ମପୁର ନିକଟ ଜଗନ୍ନାଥପୁରରେ ଅଟକିଥିଲା। ସେଠାରୁ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କର ସମସ୍ତ ଯାତ୍ରୀ ଓହ୍ଲାଇଥିଲେ। ଏହାପରେ ଟ୍ରେନଟି ଖୋର୍ଦ୍ଧା ରୋଡରେ ବାକି ଥିବା ୫୯୩ ଜଣ ଯାତ୍ରୀଙ୍କୁ ଓହ୍ଲାଇଥିଲା। ଏହି ଯାତ୍ରୀମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ରହିଥିଲେ।

ପ୍ରଥମେ ଏହି ଯାତ୍ରୀମାନଙ୍କୁ ସ୍ୱାଗତ କରାଯିବା ସହିତ ଅସ୍ଥାୟୀ ଶିବିରରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ, ପଞ୍ଜିକରଣ ଓ ଷ୍ଟାମ୍ପିଂ କରାଯାଇଥିଲା। ଏହାପରେ କେନ୍ଦ୍ରାପଡା ଆରଟିଓର ବସ ଯୋଗେ ସେମାନଙ୍କୁ ଷ୍ଟେସନରୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ନିଆଯାଇଛି। ଏହି ଲୋକମାନଙ୍କୁ ସେମାନଙ୍କର ପଞ୍ଚାୟତରେ କ୍ୱାରେଣ୍ଟାଇନରେ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।


















