ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟରେ ଥିବା କେତେକ ଗଳାବାଟ ଏବେ କେନ୍ଦ୍ରାପଡ଼ାବାସୀଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି। ଯାଜପୁରରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିବାବେଳେ ଏହି ଦୁଇ ଜିଲ୍ଲା ମଧ୍ୟରେ ଥିବା ଅନେକ ଗଳାବାଟ ଏବେ ଲୋକଙ୍କ ପାଇଁ ବିପଦ ଟାଣି ଆଣୁଛି।
ଯାଜପୁରରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚାଲାଣି। ଜିଲ୍ଲାରେ କରୋନାକୁ କାବୁ କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ମୁଖ୍ୟ ରାସ୍ତାକୁ ସିଲ୍ କରିଛି। ତେବେ ବିଭିନ୍ନ ପ୍ରକାର ଗଳାବାଟ ଦେଇ ଲୋକମାନେ ଯିବା ଆସିବା କରିବା ଫଳରେ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ା ପାଇଁ ବିପଦ ସୃଷ୍ଟି ହୋଇଛି।
ଯାଜପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ବିଞ୍ଝାରପୁର ବ୍ଲକର କଲ୍ୟାଣପୁର ପଞ୍ଚାୟତ ଓ ବରୀ ବ୍ଲକର କଳାମାଟିଆ ପଞ୍ଚାୟତରେ କରୋନା ସଂକ୍ରମିତ ବାହାରିଛନ୍ତି। ହେଲେ ଏହି ଅଞ୍ଚଳର ଲୋକମାନେ କେତେକ ଗଳାବାଟ ଦେଇ ଯିବା ଆସିବା କରୁଛନ୍ତି। ଯାହାକି କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ବିପଦକୁ ଆମନ୍ତ୍ରଣ କଲା ଭଳି ମନେହେଉଛି।
ସେହିପରି କେନ୍ଦ୍ରାପଡ଼ା ବ୍ଲକର ଇନ୍ଦୁପୁର ବୀରୂପା ସେତୁ ବରୀ ବ୍ଲକକୁ ସଂଯୋଗ କରୁଥିବାରୁ ଏହାକୁ ଦୀର୍ଘଦିନ ହେଲା ସିଲ କରାଯାଇଛି। ହେଲେ ଲୋକମାନେ ଡଙ୍ଗା ଦ୍ୱାରା ଯିବା ଆସିବା କରୁଛନ୍ତି। ଏନେଇ ଇନ୍ଦୁପୁର ଅଞ୍ଚଳର ଯୁବକମାନେ ଏବେ ଡଙ୍ଗା ବୁଡ଼ାଇଦେବାରୁ ଏବେ ଯାତାୟାତ ବନ୍ଦ ରହିଛି।
କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସବୁଠୁ ଅଧିକ ବିପଦ ଆଣିଛି ଯାଜପୁର ଜିଲ୍ଲାର ବରୀ ବ୍ଲକର କାଇପଡା ଗାଁ। ସେଠାରେ ଜଣେ କୋଲକାତା ଫେରନ୍ତା ପଜିଟିଭ୍ ଚିହ୍ନଟ ହେବା ପରେ କେନ୍ଦ୍ରାପଡ଼ା ପାଇଁ ବିପଦ ସୃଷ୍ଟି ହୋଇଛି। ଏହି ଅଞ୍ଚଳର ଲୋକମାନେ ବିଭିନ୍ନ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟକୁ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ରାପଡା ଜିଲ୍ଲା ଅଳପୁଆ ପଞ୍ଚାୟତ ପକ୍ଷରୁ ୩ଟି ଗଳାବାଟକୁ ବନ୍ଦ କରାଯାଇଥିବା ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି। ଆସନ୍ତାକାଲି ତ୍ରାହୀଅଚ୍ୟୁତ ରାସ୍ତାକୁ ବନ୍ଦ କରିବାକୁ ପଞ୍ଚାୟତ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।


















