ଓଡ଼ିଶାଲାଇଭ୍‌ ବ୍ୟୁରୋ

କ’ଣ ଆସନ୍ତାକାଲି ଲକଡାଉନ ପୁଣି ଥରେ ବଢ଼ିବାର ଘୋଷଣା ଆସିବ? ଏହି ପ୍ରଶ୍ନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ସୋମବାର ଦିନ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ବେଳେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ ବଢାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି। ମଜା କଥା ହେଲା ବିରୋଧୀ ଦଳର ସରକାର ଥିବା ରାଜ୍ୟ ହିଁ ଲକଡାଉନ ବୃଦ୍ଧି ପାଉ ବୋଲି କହିଛନ୍ତି। ଯେଉଁମାନେ ଲକଡାଉନ ବଢାଇବା ଦାବି ରଖିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।

ଠାକ୍‌ରେ ହିଁ ସବୁଠାରୁ ଜୋରରେ ଲକଡାଉନ ବଢାଇବା ପାଇଁ କହିଥିଲେ। ଯଦି ଲକଡାଉନ ବଢ଼ା ନଯାଏ କରୋନା ସଂକ୍ରମଣକୁ ରୋକିବା ଅସମ୍ଭବ ହୋଇ ପଡ଼ିବ ବୋଲି ସେ ସ୍ପଷ୍ଟ ଭାବରେ ଯୁକ୍ତି କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମଧ୍ୟ ଲକଡାଉନ ଚାଲୁ ରଖିବା ପାଇଁ ଦାବି କରିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ୩୧ ମେ ପର୍ଯ୍ୟନ୍ତ ଲକଡାଉନ ବଢ଼ାଯାଉ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ଥର ଏପ୍ରିଲ ୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଶେଷ ଥର ପାଇଁ ମୋଦୀ କଥାବାର୍ତ୍ତା କରିଥିଲେ। ସେହି ମିଟିଂରେ ମଧ୍ୟ ବହୁ ମୁଖ୍ୟମନ୍ତ୍ରୀ ଲକଡାଉନ ସମୟ ବୃଦ୍ଧି ପାଇଁ କହିଥିଲେ ଓ ୨୬ ତାରିଖ ଦିନ ଘୋଷଣା କରାଯାଇଥିଲା ଯେ ମେ ୧୭ ପର୍ଯ୍ୟନ୍ତ ଲକଡାଉନ ବଢ଼ିବ। ଆଜି  ମଧ୍ୟ ଭିଡ଼ିଓ କନଫେରେନ୍ସିଂ ବେଳେ ମୋଦି କହିଥିଲେ ଯେ ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ଉପରେ ହିଁ କେନ୍ଦ୍ର ନିଷ୍ପତ୍ତି ନେଇଥାଏ ଓ ଏଥର ବି ସେୟା ହେବ।

ଲକଡାଉନକୁ ନେଇ ମୁଖ୍ୟମନ୍ତ୍ରୀମାନେ କଣ କହିଲେ ଓ କେନ୍ଦ୍ର କଣ ଚିନ୍ତା କରୁଛି ତାହା ଦିନେ ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ। ତେବେ ‘ସମଝଦାର କୋ ଇସାରା କାଫି’ ବୋଲି ପ୍ରବାଦଟିଏ  ବି ରହିଛି।

Comment