ଓଡ଼ିଶାଲାଇଭ୍ ବ୍ୟୁରୋ
ମେ’ ୧୭ ପରେ ସାରା ଦେଶରେ ଲାଗୁ ହେବ ଲକ୍ଡାଉନ୍ ୪.୦।
ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଳକ୍ଡାଉନ୍ ଲାଗୁ ହେବାକୁ ଯାଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରି ସଙ୍କେତ ଦେଇଛନ୍ତି। ତେବେ ଲକ୍ଡାଉନ୍ ୪.୦ ନୂଆ ରୂପରେ ଆସିବ ବୋଲି ମୋଦୀ କହିଥିଲେ। ୧୮ ତାରିଖ ପୂର୍ବରୁ ଏ ସମ୍ପର୍କରେ ଘୋଷଣା ହେବ। ହେଲେ ମୋଦୀଙ୍କ ଉଦ୍ବୋଧନ ପରେ ଲକ୍ଡାଉନ୍ର ରୂପରେଖ କେମିତି ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ସାରା ଦେଶରେ ଏବେ ଲକ୍ଡାଉନ୍ ବଳବତ୍ତର ରହିଛି। ମାର୍ଚ୍ଚ ୨୫ରୁ ପର୍ଯ୍ୟାୟକ୍ରମେ ଲକ୍ଡାଉନ୍ ଘୋଷଣା ହୋଇ ଚାଲିଛି। ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ୨୧ ଦିନିଆ ଘୋଷଣା ହୋଇଥିଲା। ଏହାକୁ କଡ଼ାକଡ଼ି ଭାବେ ସାରା ଦେଶରେ ପାଳନ କରାଯାଇଥିଲା।
ସାମାଜିକ ଦୂରତା ରକ୍ଷା କରିବା ପାଇଁ ସପିଂ ମଲ୍, ଦୋକାନ ବଜାର, ଜିମ୍, ପାର୍କ ଆଦି ବନ୍ଦ ରହିଥିଲା। ଶିଳ୍ପ ପ୍ରତିଷ୍ଠାନ ଓ ଘରୋଇ ଅନୁଷ୍ଠାନ ବି ବନ୍ଦ ରହିଥିଲା। ଟ୍ରେନ୍, ବିମାନ ଏବଂ ବସ୍ ଚଳାଚଳ ବାତିଲ କରାଯାଇଥିଲା। କେବଳ ଗ୍ରୋସରୀ, ପରିବା ଏବଂ ଔଷଧ ଦୋକାନ ଖୋଲା ରହିଥିଲା। ଘରୁ ନାବହାରିବା ପାଇଁ ସରକାର ଲୋକମାନଙ୍କୁ ଅପିଲ୍ କରିଥିଲେ।
ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ଏପ୍ରିଲ ୧୪ରେ ଶେଷ ହେବାର ଥିଲା। ହେଲେ କରୋନା ଆତଙ୍କ କମି ନଥିବାରୁ ପୁଣି ଲକ୍ଡାଉନ୍ ବଢ଼ାଇଥିଲେ ମୋଦୀ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ଏହି ଘୋଷଣା କରିଥିଲେ ମୋଦୀ। ଏପ୍ରିଲ ୧୫ରୁ ମେ’ ୩ ଯାଏଁ ୧୯ ଦିନିଆ ଲକ୍ଡାଉନ୍ ଘୋଷଣା ହୋଇଥିଲା।
ପ୍ରଥମ ପର୍ଯ୍ୟାୟରେ ଯେଉଁ ନିୟମ ରହିଥିଲା ତାହା ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ବି ବଳବତ୍ତର ରହିଲା। କିଛି ରାଜ୍ୟରେ ବାଇକ୍ ଚଳାଚଳ ଉପରେ ମଧ୍ୟ କଟକଣା ରହିଥିଲା। ମେ’ ୩ ପରେ ଲକ୍ଡାଉନ୍ ଅବଧି ବଢ଼ିବ କି ନାହିଁ ତାକୁ ନେଇ ଚର୍ଚ୍ଚା ଚାଲିଥିଲା। ହେଲେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମୋଦୀ ସରକାର ଲକ୍ଡାଉନ୍ ୩.୦ ଘୋଷଣା କରିଥିଲେ। ଏହା ଏବେ ଦେଶରେ ବଳତ୍ତର ରହିଛି।
ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ଠାରୁ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ କିଛି କୋହଳ କରାଯାଇଥିଲା। ମେ’ ୧୭ ତାରିଖରେ ଶେଷ ହେଉଥିବା ଲକ୍ଡାଉନ୍ ୩.୦ରେ ରେଡ୍, ଅରେଞ୍ଜ, ଓ ଗ୍ରୀନ ଜୋନ୍ କରାଯାଇଥିଲା। ଏହିସବୁ ଜୋନ୍ରେ ବିଭିନ୍ନ ଜଲ୍ଲାକୁ ସ୍ଥାନ ମିଳିଥିଲା।
ଯେଉଁ ଜିଲ୍ଳାରେ ଏକାଧିକ କରୋନା ରୋଗୀ ଚିହ୍ନଟ ହେଉଥିଲେ ତାକୁ ରେଡ୍ ଏବଂ ଯେଉଁଠି ଜଣେ ବି କରୋନା ରୋଗୀ ଥିଲେ ତାକୁ ଅରେଞ୍ଜ ଏବଂ ଯେଉଁଠି କିଛି ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ ତାକୁ ଗ୍ରୀନ ଜୋନ୍ରେ ରଖାଯାଇଥିଲା।
ରେଡ୍ ଜୋନ୍ରେ କଟକଣା କଡାକଡ଼ି କରାଯାଇଥିବା ବେଳେ ଅରେଞ୍ଜ ଏବଂ ଗ୍ରୀନ ଜୋନ୍ରେ କିଛି କଟକଣା କୋହଳ କରାଯାଇଥିଲା। ଗ୍ରୀନ ଜୋନ୍ରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିଲା। ଏହାସହ ଜଣେ ଯାତ୍ରୀଙ୍କୁ ନେଇ କ୍ୟାବ୍ ଚଳାଚଳ ହୋଇପାରିବ ବୋଲି ଗାଇଡ୍ଲାଇନ୍ ରହିଥିଲା। କୃଷି ଏବଂ ନିର୍ମାଣ କାର୍ଯ୍ୟକୁ ସବୁଜ ସଙ୍କେତ ମିଳିଥିଲା। ଏହି ଲକ୍ଡାଉନ୍ ୩.୦ରେ ଟ୍ରେନ୍ ସେବା ବି ଆରମ୍ଭ ହୋଇଛି। ଖାଲି ସେତିକି ନୁହେଁ, ବିଭିନ୍ନ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି।

ମେ’ ୧୭ରେ ଲକ୍ଡାଉନ୍ ୩.୦ ଶେଷ ହେଉଛି। ହେଲେ କରୋନା ଭୂତାଣୁର ପ୍ରକୋପ କମିନି। ମେ’ ୧୭ ପରେ କ’ଣ କରାଯିବ ସେନେଇ ପ୍ରଧାନମନ୍ତ୍ରୀ ଗତ ୧୧ ତାରିଖରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। କିଛି ରାଜ୍ୟ ସରକାର ଲକ୍ଡାଉନ୍ ଅବଧି ବଢ଼ାଇବାକୁ ମତ ରଖିଥିଲେ। ଏହାପରେ ମୋଦୀ ୧୨ ତାରିଖରେ ଦେଶବାସୀଙ୍କୁ ସମ୍ବେଧିତ କରି ଆତ୍ମନିର୍ଭର ଭାରତ ଅଭିଯାନ କଥା କହିବା ସହ ଲକ୍ଡାଉନ୍ ୪.୦ ସମ୍ପର୍କରେ ସଙ୍କେତ ଦେଇଥିଲେ।
ଲକ୍ଡାଉନ୍ ୪.୦ର ରୂପରେଖ କ’ଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ କିଛି କଟକଣା କୋହଳ ହୋଇଥିବାରୁ ୪.୦ରେ କଟକଣା ଆହୁରି କୋହଳ ହୋଇପାରେ ବୋଲି କୁହାଯାଉଛି। ସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିଷ୍ପତ୍ତି ହୋଇପାରେ ବୋଲି ଆଲୋଚନା ହୋଇଛି। ଏହାସହ ଯେଉଁ ମଲ୍ ବନ୍ଦ ରହିଛି ସେଗୁଡ଼ିକୁ ସାମାଜିକ ଦୂରତା ନିୟମ ଭିତରେ ଖୋଲାଯାଇପାରେ ବୋଲି କୁହାଯାଉଛି। ଏହାସହ ବିମାନ ସେବା ମଧ୍ୟ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ମୋଦୀ କହିଥିଲେ ଯେ, କରୋନା ଭିତରେ ଆମକୁ ଅର୍ଥନୀତିକୁ ଦେଖିବାକୁ ପଡ଼ିବ। ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଲକ୍ଡାଉନ୍ ୪.୦ରେ ବ୍ୟବସ୍ଥା ହୋଇପାରେ।








ମେ’ ୧୭ ପରେ ସାରା ଦେଶରେ ଲାଗୁ ହେବ ଲକ୍ଡାଉନ୍ ୪.୦।








