ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସରପଞ୍ଚ ଓ କୋଭିଡ୍ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ରାଜ୍ୟ ସରକାର ସେମାନଙ୍କ ପରିବାରକୁ ୫୦  ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ। ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ। ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ  ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ  ଟୁଇଟ୍ କରି ଲେଖିଛନ୍ତି, “ତୃଣମୂଳସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚମାନେ ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ କୋଭିଡ୍ ସୁବିଧାଗୁଡ଼ିକର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ସେମାନେ ଆମ ଆଗ ଧାଡ଼ିର ଯୋଦ୍ଧା। ସେମାନଙ୍କ ପରିବାରର ହିତ ପାଇଁ ପୂର୍ବ ଘୋଷିତ ୫୦ ଲକ୍ଷ ସହାୟତା ରାଶିରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।”

ଏହା ପୂର୍ବରୁ ରାଜ୍ୟ ସରକାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ  ପାଇଁ ଏହି ସହାୟତା ରାଶି ଘୋଷଣା କରିଥିଲେ। ଏହା ଫଳରେ କୋଭିଡ୍ ମୁକାବିଲା କରିବା ସମୟରେ ଯଦି କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟେ ତେବେ ରାଜ୍ୟ ସରକାର ତାଙ୍କର ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି କହିଥିଲେ। ବର୍ତ୍ତମାନ ଗ୍ରାମ ପଞ୍ଚାୟତର ସରପଞ୍ଚମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।

Comment