ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଯେଉଁ ମହାନ ବରପୁତ୍ରମାନଙ୍କର ଅବଦାନ ଥିଲା ସେମାନଙ୍କ ଭିତରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଥିଲେ ଅନ୍ୟତମ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ମଧ୍ୟ ତାଙ୍କର ଅବଦାନକୁ ଆଜି ସମସ୍ତେ ମନେପକାଉଛନ୍ତି। ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଆଧୁନିକ ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣୀ। ସ୍ୱତନ୍ତ୍ର ଓଡ଼ିଶା ପାଇଁ ବିଟ୍ରିଶ ସରକାରଙ୍କ ନିକଟରେ ଦାବି ଜଣାଇବାକୁ ସେ ଲଣ୍ଡନରେ ଆୟୋଜିତ ଗୋଲ ଟେବୁଲ ବୈଠକରେ ଯୋଗଦେବା, ମଧୁବାବୁଙ୍କ ପରେ ସ୍ଵତନ୍ତ୍ର ପ୍ରଦେଶ ଗଠନର ନେତୃତ୍ଵ ନେବା, ଉତ୍କଳ ସମ୍ମିଳନୀକୁ ଉଜ୍ଜିବୀତ ରଖିବା ଆଦି ତାଙ୍କର ଦେଶପ୍ରୀତିର ମହାନ ଉଦାହରଣ। ରାଜ୍ୟରେ ଶିକ୍ଷାର ବିକାଶ, କୁଟୀର ଶିଳ୍ପର ବିକାଶ, କୃଷିର ବିକାଶ, ଗମନାଗମନର ସୁବିଧା ଓ ସର୍ବୋପରି ଉତ୍କଳୀୟ ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବାରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ। ସେଥିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ରାଜ୍ୟର ସମୃଦ୍ଧି ପାଇଁ ରାଜକୋଷରୁ ଅର୍ଥ ବିନିଯୋଗ କରି ସେ ଅନନ୍ୟ ଉଦାହରଣ ସୃଷ୍ଟି କରି ଯାଇଛନ୍ତି। ଏହି ଯୋଗଜନ୍ମା ମହାପୁରୁଷଙ୍କ ୧୯୭୪ ମେ ୨୫ ତାରିଖରେ ପରଲୋକ ହୋଇଥିଲା। ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ  ମୋର ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

୧୮୯୨ ମସିହା ଏପ୍ରିଲ ୨୬ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପାରଳାଖେମୁଣ୍ଡି ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପିତା ଗୌର ଚନ୍ଦ୍ର ଗଜପତି ଏବଂ ମାତା ରାଧାମଣି ଦେବୀଙ୍କ କୋଳମଣ୍ଡନ କରିଥିଲେ କୃଷ୍ଣଚନ୍ଦ୍ର ଗଜପତି। ପାରଳାଖେମୁଣ୍ଡିର ମହାରାଜା ହାଇସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ କରି ସେ ଉଚ୍ଚଶିକ୍ଷା ପାଇଁ ମାଡ୍ରାସ ଯାଇଥିଲେ।

ମାଡ୍ରାସରେ ପାଠ ପଢୁଥିବା ବେଳେ କୃଷ୍ଣଚନ୍ଦ୍ର ଗଜପତି ତାଙ୍କ ପିତାଙ୍କୁ ହରାଇଥିଲେ। ହେଲେ ଏଥିରେ ବିଚଳିତ ହୋଇ ନଥିଲେ କୃଷ୍ଣଚନ୍ଦ୍ର। ମାଡ୍ରାସରେ ପାଠପଢ଼ା ଶେଷ କରି ସେ ପାରଳାଖେମୁଣ୍ଡି ଆସିଥିଲେ। ୧୯୩ରେ ସେ ଖରସୁଆଁ ରାଜକୁମାରୀଙ୍କୁ ବିବାହ କରିଥିଲେ। ଏହାପରେ ସେ ପାରଳାଖେମୁଣ୍ଡିର ରାଜମୁକୁଟ ପରିଧାନ କରିଥିଲେ।

‘‘ଗଜପତି କୃଷ୍ଣଚନ୍ଦ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଥିଲେ। ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ବହୁ ଉନ୍ନତିମୂଳକ କାମ କରିଥିଲେ। ଆଜି ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବା ପାଇଁ ସେତେବେଳେକୁ ଲଢ଼େଇ ଜୋରଦାର ଆରମ୍ଭ ହୋଇଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସହ ସମ୍ପର୍କ ରକ୍ଷା କରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏହି ଲଢ଼େଇକୁ ଆଗକୁ ନେଇଥିଲେ। ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳର ମିଶ୍ରଣର ସେ ଅନ୍ୟତମ କର୍ଣ୍ଣଧାର ଥିଲେ। ତାଙ୍କ ଉଦ୍ୟମରେ ପାରଳାଖେମୁଣ୍ଡି ଓ ଜୟପୁର ଅଞ୍ଚଳ ଓଡ଼ିଶାରେ ମିଶିଥିଲା।

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଥିଲେ ପ୍ରଜା ବତ୍ସଳ ରାଜା। ଏହାସହ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ମଧ୍ୟ ଅବିସ୍ମରଣୀୟ। ପଣ୍ଡିତ ଗୋପୀନାଥ ନନ୍ଦ ସଙ୍କଳିତ ‘ଓଡ଼ିଆ ଶବ୍ଦ ତତ୍ତ୍ୱ ବୋଧ ଅଭିଧାନ’ର ମୁଦ୍ରଣ ସେ କରାଇଥିଲେ। ତାଙ୍କ ଆର୍ଥିକ ସହାୟତାରେ ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ , ‘ଗୋପାଳକୃଷ୍ଣ ପଦ୍ୟାବଳୀ’ ଏବଂ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ପଞ୍ଚମ ଖଣ୍ଡ ମଧ୍ୟ ପ୍ରକାଶିତ ହୋଇଥିଲା।

ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ୧୯୩୭ ଏପ୍ରିଲ ୧ରେ ସେ ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ୧୯ ଜୁଲାଇ ୧୯୩୭ ଯାଏଁ ସେ ପ୍ରଧାନମନ୍ତ୍ରୀ ପଦବୀରେ ରହିଥିଲେ। ୧୯୪୧ ନଭମ୍ବେର ୨୯ରେ ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୪୪ ଜୁନ୍‌ ୨୯ ଯାଏଁ ଶାସନ ଭାର ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳରେ ସେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ କଟକ ମେଡିକାଲ କଲେଜ ତାଙ୍କରି କାର୍ଯ୍ୟକାଳରେ ହିଁ ସ୍ଥାପନ ହୋଇଥିଲା। ୧୯୭୪ ମେ’ ୨୫ରେ ୮୨ ବର୍ଷ ବୟସରେ କୃଷ୍ଣଚନ୍ଦ୍ର ଗଜପତିଙ୍କର ଦେହାନ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here