ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଆସିବା ପରେ ଭାଇଚାରା, ବନ୍ଧନ ଓ ପରସ୍ପରକୁ ସାହାଯ୍ୟ କରିବା ମନୋବୃତ୍ତିଟି ପୂରା ଉଭେଇ ଯାଇଛି। ସେହି ସବୁ ମାନବିକତାର ଗୁଣଗୁଡ଼ିକ ଆଜି ଇତିହାସ। ସାମାଜିକ ଦୂରତ୍ୱ ଏବେ ପାଲଟିଛି ସାମାଜିକ ଅଛୁଆଁ ଭାବ।
କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ପୃଥକବାସ ବା କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ କରାଯାଇଛି ତାହା ଗାଁ ମାନଙ୍କରେ ଏକ ନୂଆ ସଙ୍କଟ ସୃଷ୍ଟି କରିଛି। ସରକାରଙ୍କ ପକ୍ଷରୁ କ୍ୱାରେଣ୍ଟିନ୍ ନିୟମ ବାରମ୍ବାର ପରିବର୍ତ୍ତନ କରାଯାଉଥିବାରୁ ଏହା ମଧ୍ୟ ଅଧିକ ସମସ୍ୟା ସୃଷ୍ଟି କରିଛି।
ବିଗତ କିଛି ଦିନ ମଧ୍ୟରେ ଓଡ଼ିଶାକୁ ପ୍ରାୟ ଲକ୍ଷେ ପ୍ରବାସୀ ନାଗରିକ ଫେରିଛନ୍ତି। ନିୟମିତ ଭାବେ ପ୍ରବେଶ ପଥ ଦେଇ ଗାଁରେ ପହଞ୍ଚିବା ବଦଳରେ ପ୍ରବାସୀ ଲୋକେ ବିଶେଷ ଶ୍ରମିକ ଟ୍ରେନର ଚେନ ପୁଲିଙ୍ଗ କରି ଅଧା ରାସ୍ତାରେ ଓହ୍ଲାଇ ଯାଉଥିବା ଦେଖାଯାଉଛି ଯାହାକି ସରକାର ଓ ପ୍ରଶାସନକୁ ଚିନ୍ତାରେ ପକାଇଛି। ଏକେତ ଏହା ଗ୍ରାମବାସୀମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି କରିଛି। ଅଧିକନ୍ତୁ କରୋନା ସଂକ୍ରମଣର ଆଶଙ୍କାକୁ ଅଧିକ ଉଜ୍ଜୀବିତ କରିଛି।
କରୋନା ଆସିବା ପରେ ମାର୍ଚ୍ଚ ୨୩ ତାରିଖରେ ଯେତେବେଳେ ସମଗ୍ର ଦେଶରେ ଲକଡାଉନ ଘୋଷଣା ହେଲା ଲୋକଙ୍କୁ ପରସ୍ପର ସହିତ ନମିଶିବା ପାଇଁ କୁହାଗଲା। କରୋନାକୁ ଦୂରେଇ ରଖିବାକୁ ହେଲେ ଏହା ହିଁ ଏକ ମାତ୍ର ଉପାୟ ବୋଲି ଜୋର ଦିଆଗଲା।
ଏବେ କିନ୍ତୁ ଏହି ସାମାଜିକ ଦୂରତା ସାମାଜିକ ଅସ୍ପୃଶ୍ୟତାରେ ପରିଣତ ହୋଇଛି। ପ୍ରବାସୀ ଶ୍ରମିକମାନେ ଅନ୍ୟ ରାଜ୍ୟରୁ ଫେରିବା ସହ ଏହା ଏକ ସାମାଜିକ ବିରୋଧାଭାସର ରୂପ ଧାରଣ କରିଛି। ଯେଉଁମାନେ ବାଧ୍ୟତାମୂଳକ ୧୪ ଦିନିଆ କ୍ୱାରେଣ୍ଟିନ୍ ଶେଷ କରି ଘରକୁ ଆସୁଛନ୍ତି ସେମାନଙ୍କୁ ଲୋକେ ସନ୍ଦେହ ଚକ୍ଷୁରେ ଦେଖିବା ଲକ୍ଷ୍ୟ କରାଯାଇଛି। ମାଇଗ୍ରାଣ୍ଟଙ୍କ ପରିବାରର ସଦସ୍ୟମାନଙ୍କୁ ଏଥିପାଇଁ ଅଯଥା କଷଣର ଶିକାର ହେବାକୁ ପଡୁଛି। ଘର ବାହାରେ କ୍ୱାରେଣ୍ଟିନ୍ ନୋଟିସ ଝୁଲା ଯାଉଥିବାରୁ ଗାଁ ଗହଳିରେ ଏହା ଏକ ଅଲଗା ପରିସ୍ଥିତି ସୃଷ୍ଟି କରିଛି।
କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ଦୁଇ ଜଣ ଶ୍ରମିକଙ୍କ ପୃଥକବାସ ଅବଧି ମାସେ ତଳୁ ଶେଷ ହୋଇ ଯାଇଥିଲେ ହେଁ ସେମାନଙ୍କ ପରିବାରକୁ ଏକ ଘରକିଆ କରିଦିଆ ଯାଇଛି। ଠିକ ସେହିଭଳି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର କିଛି ପ୍ରବାସୀ ଶ୍ରମିକଙ୍କ ପରିବାର ଲୋକେ ଏହିଭଳି ଅସ୍ପୃଶ୍ୟତାର ଶିକାର ହୋଇଛନ୍ତି। ଜଗତସିଂହପୁର, କଟକ,କୋରାପୁଟ,ଯାଜପୁର, ଗଞ୍ଜାମ ଏହିଭଳି କୌଣସି ଜିଲ୍ଳା ନାହିଁ ଯେଉଁଠି ପ୍ରବାସୀ ଓଡ଼ିଆଙ୍କ ପରିବାର ଉପରେ ବଦ଼ରଙ୍ଗୀ ଛିଟା ଲାଗିନାହିଁ। ସରକାରଙ୍କ ତତ୍ୱାବଧାନରେ ୧୪ ଦିନ କାଳ ପୃଥକବାସରେ ରହି ମଧ୍ୟ ପରିବାର ପ୍ରତି ଗାଁ ଲୋକଙ୍କ ଦ୍ୱାରା ଏହିଭଳି ଆଚରଣ ପ୍ରଦର୍ଶନ ଏବେ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି।


















