ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱତନ୍ତ୍ର ବିମାନ ଯୋଗେ କେରଳରୁ ଓଡ଼ିଶା ଫେରିଲେ ୧୬୯ ଓଡ଼ିଆ ଝିଅ। ଏମାନେ ସମସ୍ତେ କେରଳରେ ଏକ ଘରୋଇ କମ୍ପାନିରେ କାମ କରୁଥିବାବେଳେ ଲକଡାଉନ୍ ଯୋଗୁଁ ସେଠାରେ ଫସି ରହିଥିଲେ। ଏହାପରେ ଆଜି ସେମାନଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରାଇ ଅଣାଯାଇଛି।
କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଏହି ଝିଅମାନେ କେରଳର ଏକ କମ୍ପାନୀରେ କାମ କରୁଥିଲେ। ହେଲେ ଲକଡାଉନ୍ କାରଣରୁ ଦୀର୍ଘ ଦିନ ଧରି କମ୍ପାନି ବନ୍ଦ ରହିବା ସହ ସେମାନେ ସେଠାରେ ଭୋକ ଉପାସରେ ଦିନ କାଟୁଥିଲେ। ଏନେଇ ପ୍ରଥମେ ସେମାନେ ଏକ ଭିଡିଓ ଜାରି କରି ଓଡ଼ିଶା ସରକାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଓଡ଼ିଶା ସରକାରଙ୍କ ଜଣେ ଅଫିସର ଏନେଇ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ଯୋଗଯୋଗ କରିଥିଲେ।
ଅଭିନେତା ସୋନୁ ସୁଦଙ୍କ ସହଯୋଗରେ ଏହି ଝିଅମାନଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଅଣାଯାଇଛି। ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ ଚାରୋଟି ବସ୍ ଯୋଗେ କେନ୍ଦ୍ରାପଡ଼ାକୁ ନିଆଯାଇଛି। ସେଠାରେ ସେମାନଙ୍କୁ ପ୍ରଥମେ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନ୍ ଅବଧି ଶେଷ ହେବା ପରେ ସେମାନେ ନିଜ ନିଜ ଘରକୁ ଯାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


















