ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀକ୍ଷେତ୍ରରେ ୧୪୪ ଧାରା। ତା ଭିତରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା। ପରମ୍ପରା ଅନୁଯାୟୀ ୧୦୮ ଗରା ପାଣିରେ ଗାଧୋଇବା ଫଳରେ ଚାରି ଠାକୁରଙ୍କୁ ଜ୍ୱର ହୁଏ। ତେଣୁ ମହାପ୍ରଭୁ ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ବାର୍ଷିକ କ୍ୱାରେଣ୍ଟାଇନରେ ଯିବେ।
କରୋନା ମହାମାରୀ ପାଇଁ ଆଜି ଲୋକଙ୍କ ମୁହଁରେ କ୍ୱାରେଣ୍ଟାଇନ୍ ଏକ ପରିଚିତ ଶବ୍ଦ ହୋଇଯାଇଛି। ରଥଯାତ୍ରା ନୀତି ଅନୁଯାୟୀ ଚାରି ଠାକୁର ପ୍ରତିବର୍ଷ ୧୪ ଦିନ ପାଇଁ ଅଣସରରେ ରହନ୍ତି। ଠାକୁରମାନଙ୍କୁ ଜ୍ୱର ହେଉଥିବାରୁ ସେବକ ଦଇତାପତିମାନେ ପାରମ୍ପରିକ ନୀତିରେ ସେବା କରିଥାନ୍ତି। ସେହି ସମୟରେ ଅନ୍ୟ କୌଣସି ସେବକ ବା ଭକ୍ତ ଠାକୁରଙ୍କୁ ଦର୍ଶନ କରିବା ନିଷେଧ। ତେଣୁ ଏହି ୧୪ ଦିନିଆ ନୀତିକୁ ମହାପ୍ରଭୁଙ୍କ କ୍ୱାରେଣ୍ଟାଇନ୍ ବା ସଙ୍ଗରୋଧ କହିଲେ ଭୁଲ୍ ହେବ ନାହିଁ।

ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ମଧ୍ୟ ଜଗନ୍ନାଥଙ୍କ ଏହି ଅଣସରକୁ ସରକାରଙ୍କ ୧୪ ଦିନିଆ କ୍ୱାରେଣ୍ଟାଇନ ସହ ତୁଳନା କରିଥିଲେ। ଅଣସର ପରେ ମହାପ୍ରଭୁ ସୁସ୍ଥ ହୋଇ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଇଥାନ୍ତି। ସେହିପରି ବାହାରୁ ଫେରୁଥିବା ପ୍ରବାସୀମାନେ କ୍ୱାରେଣ୍ଟାଇନରେ ରହିବା ଫଳରେ ସୁସ୍ଥ ହୋଇ ପୁଣି ଘରକୁ ଯାଇପାରିବେ ବୋଲି ସରକାର କହିଥିଲେ।ଲକଡାଉନ୍ ଭିତରେ ରଥଯାତ୍ରା

ଚଳିତବର୍ଷ କରୋନ ସଂକ୍ରମଣ ଲାଗି ରଥଯାତ୍ରା ହେବ କି ନହେବ ତାକୁ ନେଇ ଚାଲିଥିଲା ଚର୍ଚ୍ଚା। ବହୁ ଟଣାଓଟରା ପରେ ଆରମ୍ଭ ହୋଇଥିଲା ରଥ ତିଆରି କାମ। ପବିତ୍ର ଅକ୍ଷୟ ତୃତୀୟା ଦିନ ପରମ୍ପରା ଅନୁଯାୟୀ ରଥଖଳାରେ ରଥ ଅନୁକୂଳ ହୋଇପାରିନଥିଲା। ତେବେ ବିଧି ରକ୍ଷା କରିବା ପାଇଁ ଶ୍ରୀମନ୍ଦିର ଭିତରେ ରଥ ଅନୁକୂଳ ହୋଇଥିଲା।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଆଜି ସକାଳୁ ରତ୍ନବେଦୀ ଛାଡ଼ି ଶ୍ରୀଜଗନ୍ନାଥ, ଶ୍ରୀ ବଳଦେବ, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ପରେ ଛେରା ପହଁରା ହୋଇ ହାତୀ ବେଶ ଆରମ୍ଭ ହୋଇଥିଲା।

ଆସିଲେନି ଗଜପତି

ଶ୍ରୀଜୀଉଙ୍କ ପ୍ରଥମ ସେବକ ଗଜପତି ମହାରାଜା ସ୍ନାନଯାତ୍ରା ଦିନ ସ୍ନାନବେଦୀ ନିକଟରେ ଛେରା ପହଁରା କରିଥାନ୍ତି। ପରେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି। କିନ୍ତୁ ଏଥର ଗଜପତି ଦିବ୍ୟସିଂହ ଦେବ ନିଜେ ଆସିନଥିଲେ। ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଗଜପତିଙ୍କ ପକ୍ଷରୁ ଏହି ବିଧି ପାଳନ କରିଥିଲେ।

କୋଭିଡ୍ ୧୯ ମହାମାରୀ ସମୟରେ ରଥଯାତ୍ରାକୁ ନେଇ ସରକାରଙ୍କ ଚିନ୍ତା। ତେଣୁ ପୁରୀରେ ଜାରି ହୋଇଛି ୧୪୪ ଧାରା। କୌଣସି ଭକ୍ତ ବଡ଼ଦାଣ୍ଡକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ। ଘରେ ବସି ଟେଲିଭିଜନ ଓ ମୋବାଇଲ୍ ମିଡିଆରେ ସ୍ନାନଯାତ୍ରାର କାର୍ଯ୍ୟକ୍ରମ ଦେଖିବା ପାଇଁ ଜନସାଧାରଣଙ୍କୁ ସରକାର ଅନୁରୋଧ କରିଛନ୍ତି।

ପ୍ରତିବର୍ଷ ପୁରୀରୁ ରଥଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମର ସିଧାପ୍ରସାରଣ ଲାଗି ୧୦ରୁ ଅଧିକ ଟେଲିଭିଜନ ଚ୍ୟାନେଲ୍ ନିଜର ଟେକ୍ନକାଲ ସେଟଅପ୍ ଲଗାଇଥାନ୍ତି। କିନ୍ତୁ ଏଥର ସରକାର ସେଥିପାଇଁ ଅନୁମତି ଦେଇନାହାନ୍ତି। ସରକାରୀ ଗଣମାଧ୍ୟମ ଦୂରଦର୍ଶନକୁ ସରକାର ଅନୁମତି ଦେବା ଫଳରେ ଅନ୍ୟ ସବୁ ଟେଲିଭିଜନ ଓ ଡିଜିଟାଲ୍ ମିଡିଆ ଚ୍ୟାନେଲ ଡିଡି ଦେଉଥିବା ଭିଡିଓ ବ୍ୟବହାର କରୁଛନ୍ତି।

Comment