ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ପ୍ରକାର ବ୍ୟଞ୍ଜନ ଦେଶ ବିଦେଶରେ ପ୍ରସିଦ୍ଧ। ନିଜର ସ୍ୱତନ୍ତ୍ର ପ୍ରସ୍ତୁତି ଶୈଳୀ ପାଇଁ ଓଡ଼ିଆ ଖାଇବା ବେଶ ପ୍ରଶଂସା ପାଏ। ଓଡ଼ିଆ ଖାଇବା ଭିତରେ ପତ୍ରପୋଡ଼ା ମାଛ ଏକ ପୁରୁଣା ଖାଦ୍ୟ। ପତ୍ରପୋଡ଼ା ମାଛ ନାଁ ଶୁଣିଲେ ଅନେକଙ୍କ ପାଟିରୁ ଲାଳ ଗଡ଼ି ଆସେ। ଆଗରୁ ଚୁଲିରେ ପତ୍ରରେ ଗୁଡ଼ାଇ ଏହି ମାଛ ପ୍ରସ୍ତୁତ କରାଯାଏ। ଏବେ କିନ୍ତୁ ଚୁଲି ପ୍ରାୟତଃ ହ୍ରାସ ପାଇଗଲାଣି। ସେଥିପାଇଁ ଆଜି ଆମେ ଏକ ଏମିତି ରେସିପି କହିବୁ ଯାହାଦ୍ୱାରା ଆପଣ ଗ୍ୟାସରେ ପତ୍ରପୋଡ଼ା ମାଛ ପ୍ରସ୍ତୁତ କରିପାରିବେ।

କେହି କେହି ପତ୍ରପୋଡ଼ା ମାଛ ପାଇଁ କଖାରୁ ପତ୍ର ବ୍ୟବହାର କରନ୍ତି। ଆପଣ କିନ୍ତୁ ଚାହିଁଲେ କଦଳୀ ପତ୍ର ବି ବ୍ୟବହାର କରିପାରିବେ। ଚୁନା ମାଛ, ଇଲିଶି ମାଛ, ରୋହି ମାଛରେ ଏହି ଖାଦ୍ୟ ପ୍ରସ୍ତୁତ ହୋଇପାରିବ।
ପ୍ରସ୍ତୁତି ପ୍ରଣାଳୀ:
ମାଛକୁ ଭଲ ଭାବରେ ଧୋଇ ଦିଅନ୍ତୁ। ହଳଦୀ, ଲୁଣ, ଲେମ୍ବୁ ରସ ପକାଇ ଭଲ ଭାବରେ ମାଛକୁ ଗୋଳାଇ ୧୦ରୁ ୧୫ ମିନିଟ୍ ପାଇଁ ଛାଡ଼ିଦିଅନ୍ତୁ।
ଏହାରି ମଧ୍ୟରେ ସୋରିଷ ପେଷ୍ଟ, ଦହି, ଲୁଣ, ରୁସୁଣ ପେଷ୍ଟ ବ୍ୟବହାର କରି ଏକ ମସଲା ପ୍ରସ୍ତୁତ କରନ୍ତୁ। ପୂର୍ବରୁ ଲେମ୍ବ, ହଳଦୀ ମିଶ୍ରିତ ମାଛକୁ ଏଥିରେ ମିଶାଇ ୩୦ରୁ ୪୦ ମିନିଟ ଯାଏଁ ଛାଡ଼ି ଦିଅନ୍ତୁ।
ବର୍ତ୍ତମାନ ଏକ କଦଳୀ ପତ୍ର ଆଣି ଚାରିକଣିଆ କରି କାଟି ଦିଅନ୍ତୁ। ଯେପରି ମାଛ ସେହି କଦଳୀ ପତ୍ର ଭିତରେ ଜାଗା ହେବ। ସେହି ପତ୍ରରେ ମାଛକୁ ରଖି ବାନ୍ଧି ଦିଅନ୍ତୁ।
ବର୍ତ୍ତମାନ ଗ୍ୟାସରେ ପ୍ୟାନ ବସାଇ ୧ ଚାମଚ ସୋରିଷ ତେଲ ଗରମ କରନ୍ତୁ ଏବଂ ଗୁଡ଼ାଇ ହୋଇଥିବା ପତ୍ରକୁ ପ୍ୟାନରେ ରଖନ୍ତୁ ଏବଂ ଏହାକୁ ଢାଙ୍କୁଣୀରେ ଘୋଡ଼ାନ୍ତୁ | ଗ୍ୟାସକୁ ମଧ୍ୟମ ନିଆଁରେ ୧୫ ମିନିଟ୍ ଯାଏଁ ମାଛକୁ ବସାନ୍ତୁ।
୧୫ ମିନିଟ୍ ବ୍ୟବଧାନ ପରେ ପତ୍ରକୁ ଅନ୍ୟ ପାର୍ଶ୍ୱକୁ ବୁଲାନ୍ତୁ ଏବଂ ପୁନର୍ବାର ଏହାକୁ ୧୦ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ପତ୍ରପୋଡ଼ା ମାଛ।


















