ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗଧାଡ଼ିର କରୋନା ଯୋଦ୍ଧା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା।
କରୋନା ଯୋଦ୍ଧାଙ୍କୁ କରୋନା। କରୋନା ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ ହେବା ପରେ ସରକାରଙ୍କ ଚିନ୍ତା ବଢ଼ିଛି। ଏହି ଯୋଦ୍ଧାଙ୍କୁ କେମିତି ବ୍ୟକ୍ତିଗତ ସୁରକ୍ଷା ଦିଆଯିବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ ନବୀନ କରୋନା ଯୋଦ୍ଧାଙ୍କୁ ମନୋବଳ ବଢ଼ାଇଛନ୍ତି।
ବ୍ରହ୍ମପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ନୟାଗଡ଼ ମୁଖ୍ୟ ଡାକ୍ତରଖାନା, ଏମ୍ସ ଭୁବନେଶ୍ୱରର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ କରୋନା ଭାଇରସର ଶୀକାର ହୋଇଥିଲେ। ବ୍ରହ୍ମପୁରର ଡାକ୍ତର ଓ ନର୍ସଙ୍କୁ ମିଶାଇ ୮ ଜଣରୁ ଅଧିକ, ନୟାଗଡ଼ରେ ଜଣେ ଡାକ୍ତର ଏବଂ ଦୁଇ ଜଣ ନର୍ସ ଏବଂ ଏମ୍ସର ୪ ଜଣ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀ ଏବଂ ରାୟଗଡ଼ା ସିଡିଏମଓ ଅଫିସର ଜଣେ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହେବା ପରେ ଯୋଦ୍ଧାଙ୍କ ମନରେ ଭୟ ପଶିଛି। ରାୟଗଡ଼ା ସିଡିଏମ୍ଓଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି।
କେବଳ ଏତିକି ନୁହେଁ, ବର୍ତ୍ତମାନ ସୁଦ୍ଧା ୧୦୬ ଜଣ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କରୋନା ହୋଇଛି। ଏଥିରେ ଅଛନ୍ତି ୫୮ ଜଣ ଡାକ୍ତର ଓ ନର୍ସ, ୪୮ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ କର୍ମଚାରୀ ଏବଂ ଅଗ୍ନିଶମ, ଏନଡିଆରଏଫ, ଓଡ୍ରାଫର ୧୦୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।
ପ୍ରତିଦିନ ସ୍ୱାସ୍ଥ୍ୟ କର୍ମୀ ଏବଂ ଡାକ୍ତର କରୋନା କବଳରେ ପଡୁଥିବାରୁ ମନରେ ଭୟ ବଢ଼ିଛି। ଏହି ଭୟ ଦୂର କରିବା ପାଇଁ ଏବଂ କରୋନା ଯୋଦ୍ଧାଙ୍କ ମନୋବଳ ସୁଦୃଢ଼ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ଡାକ୍ତର, ନର୍ସ କରୋନା ଯୁଦ୍ଧର ପ୍ରକୃତ ହିରୋ ବୋଲି କହିଥିଲେ। ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ।
‘‘ଗତ କିଛି ସପ୍ତାହ ମଧ୍ୟରେ ସ୍ଵାସ୍ଥ୍ୟସେବା ଯୋଗାଉଥିବା ଆମର ଯୋଦ୍ଧାମାନଙ୍କ ମଧ୍ୟରୁ କେତେଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଘଟଣା ମତେ ଚିନ୍ତିତ କରିଛି। ଏହି ସଂକ୍ରମଣ ରୋକିବା ପାଇଁ ଥିବା ନିୟମାବଳୀର ସମ୍ଭବତଃ ଉଲ୍ଲଙ୍ଘନ କରାଯାଇଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ।
କୋଭିଡ-୧୯ ବିରୋଧରେ ଚାଲିଥିବା ଏହି ଯୁଦ୍ଧରେ ସ୍ୱାସ୍ଥ୍ୟକର୍ମୀମାନେ ହିଁ ହେଉଛନ୍ତି ଆମର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି। ତା’ ସହିତ ଏହି ଯୁଦ୍ଧରେ ସେମାନଙ୍କ ଜୀବନ ମଧ୍ୟ ବିପଦସଂକୁଳ। ତେଣୁ ରାଜ୍ୟ ସରକାର ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ଆବଶ୍ୟକ ଉପକରଣ ଯୋଗାଇଦେବା ସହ ବ୍ୟାପକ ତାଲିମ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଯୁଦ୍ଧର ସମ୍ମୁଖ ଭାଗରେ ରହି କାମ କରୁଥିବା ଯୋଦ୍ଧାମାନେ ଯେପରି ସଂକ୍ରମିତ ନ ହେବେ, ସେଥିପାଇଁ ଆମକୁ ସୁରକ୍ଷା ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ହେବ। ଆମର ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକ ଉପରେ ଜନସାଧାରଣଙ୍କ ବିଶ୍ୱାସ ଅତୁଟ ରଖିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହାସହ ଆଗକୁ ମୌସୁମୀ ଆସୁଥିବାରୁ କରୋନା ସହିତ ଅନ୍ୟ ରୋଗର ସଂକ୍ରମଣ ଉପରେ ନଜର ରଖିବାକୁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ଆଗକୁ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଯାଉଛି। ମୌସୁମୀ ଋତୁରେ ବିଭିନ୍ନ ସଂକ୍ରାମକ ରୋଗ ହୋଇଥାଏ। ତେଣୁ କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ଆଗମୀ କିଛି ସପ୍ତାହ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ ସାରା ରାଜ୍ୟରେ ଘରକୁ ଘର ବୁଲି ସକ୍ରିୟ କୋଭିଡ ପରିସ୍ଥିତି ପର୍ଯ୍ୟବେକ୍ଷଣ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗୁରୁତର ରୋଗୀ, ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସଂପର୍କରେ ମଧ୍ୟ ପର୍ଯ୍ୟବେକ୍ଷଣ କରିବା ପାଇଁ ଏକ ସମନ୍ୱିତ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।








ଆଗଧାଡ଼ିର କରୋନା ଯୋଦ୍ଧା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା।





