ଓଡ଼ିଶାଲାଇଭ୍ ବ୍ୟୁରୋ

- ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- ବ୍ୟକ୍ତିଗତ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ
- କରୋନା ଯୋଦ୍ଧା ସଂକ୍ରମିତ ନହେବା ଉପରେ ଗୁରୁତ୍ୱ
- ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
- ଘର ଘର ବୁଲି କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ
‘‘କୋଭିଡ-୧୯ ସମୟରେ ବ୍ୟକ୍ତିଗତ ସୁରକ୍ଷା ହେଉଛି ଶ୍ରେଷ୍ଠ ଉପାୟ। ତେଣୁ ଏଥିପ୍ରତି ସମସ୍ତେ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଏହି କଠିନ ପରିସ୍ଥିତିରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ହେଉଛନ୍ତି ପ୍ରକୃତ ହିରୋ। ସେମାନଙ୍କ ଉପରେ ଅଧିକ ଦାୟିତ୍ୱ ରହିଛି। ତେଣୁ ସେମାନେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଥିବା ବିଭିନ୍ନ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ଅନୁପାଳନ କରି ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ’’, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭିନ୍ନ ମେଡିକାଲ କଲେଜର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ତଥା ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲର କର୍ମକର୍ତ୍ତାମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି କର୍ମଶାଳାରେ ମୁଖ୍ୟତଃ କୋଭିଡ ୧୯ ପରିଚାଳନାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ନିରାପତ୍ତା ସଂପର୍କିତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ‘‘ଆମକୁ ମନେ ରଖିବାକୁ ହେବ, କୋଭିଡ-୧୯ ବିରୋଧରେ ଚାଲିଥିବା ଆମର ଏହି ଯୁଦ୍ଧରେ ସ୍ୱାସ୍ଥ୍ୟକର୍ମୀମାନେ ହିଁ ହେଉଛନ୍ତି ଆମର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି। ତା’ ସହିତ ଏହି ଯୁଦ୍ଧରେ ସେମାନଙ୍କ ଜୀବନ ମଧ୍ୟ ବିପଦସଂକୁଳ। ତେଣୁ ରାଜ୍ୟ ସରକାର ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ଆବଶ୍ୟକ ଉପକରଣ ଯୋଗାଇଦେବା ସହ ବ୍ୟାପକ ତାଲିମ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଯୁଦ୍ଧର ସମ୍ମୁଖ ଭାଗରେ ରହି କାମ କରୁଥିବା ଯୋଦ୍ଧାମାନେ ଯେପରି ସଂକ୍ରମିତ ନ ହେବେ, ସେଥିପାଇଁ ଆମକୁ ସୁରକ୍ଷା ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ହେବ। ଆମର ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକ ଉପରେ ଜନସାଧାରଣଙ୍କ ବିଶ୍ୱାସ ଅତୁଟ ରଖିବାକୁ ହେବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
‘‘ଗତ କିଛି ସପ୍ତାହ ମଧ୍ୟରେ ସ୍ଵାସ୍ଥ୍ୟସେବା ଯୋଗାଉଥିବା ଆମର ଯୋଦ୍ଧାମାନଙ୍କ ମଧ୍ୟରୁ କେତେଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଘଟଣା ମତେ ଚିନ୍ତିତ କରିଛି। ଏହି ସଂକ୍ରମଣ ରୋକିବା ପାଇଁ ଥିବା ନିୟମାବଳୀର ସମ୍ଭବତଃ ଉଲ୍ଲଙ୍ଘନ କରାଯାଇଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ।
ରାଜ୍ୟରେ କୋଭିଡ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ମୁଖ୍ୟମନ୍ତ୍ରୀ ଏଥିପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ କେବଳ ଆପଣଙ୍କ ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି, ସାରା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ନିଜର ଯତ୍ନ ଠିକ୍ ଭାବରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଥିଲେ।
ଆଗକୁ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଯାଉଛି। ମୌସୁମୀ ଋତୁରେ ବିଭିନ୍ନ ସଂକ୍ରାମକ ରୋଗ ହୋଇଥାଏ। ତେଣୁ କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ଆଗମୀ କିଛି ସପ୍ତାହ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ ସାରା ରାଜ୍ୟରେ ଘରକୁ ଘର ବୁଲି ସକ୍ରିୟ କୋଭିଡ ପରିସ୍ଥିତି ପର୍ଯ୍ୟବେକ୍ଷଣ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗୁରୁତର ରୋଗୀ, ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସଂପର୍କରେ ମଧ୍ୟ ପର୍ଯ୍ୟବେକ୍ଷଣ କରିବା ପାଇଁ ଏକ ସମନ୍ୱିତ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
















