ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବ୍ୟବସ୍ଥାକୁ ଅନେକ ସମୟରେ ଅଭିଯୋଗ ଆସିଛି, ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ ମହନପୁର ପ୍ରାଥମିକ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି।
୧୪ ଦିନିଆ ସଙ୍ଗରୋଧ ଶେଷ ହେବା ପରେ ପ୍ରବାସୀଙ୍କ ଘର ବାହୁଡ଼ା ବେଳେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସୃଷ୍ଟି ହୋଇଥିଲା ଏକ ଭାବ ବିହ୍ୱଳମୟ ପରିବେଶ। ପ୍ରବାସୀଙ୍କ ଆଖି ଲୁହରେ ଭିଜିଥିଲା କ୍ୱାରେଣ୍ଟାଇନ୍ ସେଣ୍ଟର। ଏହି ୧୪ ଦିନିଆ ସଙ୍ଗରୋଧ ଘରର ଆତ୍ମିୟତାକୁ ଭୁଲି ପାରୁନଥିଲେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ପ୍ରବାସୀମାନେ।
ବିଦାୟ ବେଳେ ସେମାନଙ୍କ ଆଖି ଲହୁ କହୁଥିଲା ଯେ ଏହି ସଙ୍ଗାରୋଧ କେନ୍ଦ୍ରରେ କେମିତି ପରସ୍ପର ସହ ଯୋଡ଼ି ହୋଇଯାଇଥିଲେ। ବିଭିନ୍ନ ଅଞ୍ଚଳରୁ ଏହି ସେଣ୍ଟରରେ ରହୁଥିଲେ ୫୦ରୁ ଅଧିକ ପ୍ରବାସୀ। ସରପଞ୍ଚଙ୍କ ରବିନ୍ଦ୍ର କୁମାର ବେହେରାଙ୍କ ସହିତ ଆଶା ଦିଦି , ଅଙ୍ଗନବାଡି ଦିଦିଙ୍କ ଆଉ ବିଡିଓ , ତହସିଲଦାର ଏମାନଙ୍କ ଦେଖାଶୁଣା କରୁଥିଲେ।
ଘରର ମୁରବୀ ପଣିଆ ଯାହିର କରୁଥିବା ସରପଞ୍ଚ ରବିନ୍ଦ୍ର କୁମାର ବେହେରାଏମାନଙ୍କର ରହିବା, ଖାଇବା, ସୁଖଦୁଃଖ ସବୁ ବୁଝୁଥିଲେ। ସରପଞ୍ଚଙ୍କ ବ୍ୟବହାର ପାଇଁ ପ୍ରବାସୀମାନେ ସଙ୍ଗରୋଧ ଗୃହ ଓ ସେଠାକାର ଲୋକଙ୍କ ସହ ଏତେ ଯୋଡ଼ି ହୋଇଯାଇଥିଲେ ଯେ ଘରକୁ ଗଲା ବେଳେ ଭାବ ବିହ୍ୱଳ ହୋଇପଡ଼ିଥିଲେ। ସରପଞ୍ଚ ରବିନ୍ଦ୍ର ସମସ୍ତଙ୍କୁ ବିଦାୟ ଦେଲା ବେଳେ ସଭିଙ୍କ ପାଟିରେ ମିଠା ଖୁଆଇ ଦେଇଥିଲେ। ସମସ୍ତଙ୍କ ମସ୍ତକରେ ଫୁଲ ଛିଞ୍ଚି ଦେଉଥିଲେ। ଗଲାବେଳେ କିଏ ସରପଞ୍ଚଙ୍କ ଗୋଡ ଧରି ମୁଣ୍ଡିଆ ମାରୁଥିଲେ ତ କିଏ କିଏ ହାତଧରି କାନ୍ଦି ପକାଇଥିଲେ।

















