ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂକ୍ରାନ୍ତି ତିଥିରେ ଜନ୍ମ ଓ ସଂକ୍ରାନ୍ତିରେ ତିଥିରେ ମୃତ୍ୟୁ ହୋଇଥିବାରୁ ଫକିରମୋହନ ସେନାପତିଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଇଥାଏ। ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆସନ୍ତୁ ଏହି ମହାନ ଓଡ଼ିଆଙ୍କୁ ଜଣାଇବା ଶ୍ରଦ୍ଧାଞ୍ଜଳି।

ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ତଥା କଥାସମ୍ରାଟ ଭାବେ ପରିଚିତ ବ୍ୟାସକବି ଫକିରମୋହନ ସେନାପତିଙ୍କ ଆଜି ଶ୍ରାଦ୍ଧ ବାର୍ଷିକୀ। ୧୮୪୩ ମସିହା ମକର ସଂକ୍ରାନ୍ତି ଦିନ ସେ ବାଲେଶ୍ୱର ଜିଲ୍ଲା ମଲିକାଶପୁରଠାରେ ଜନ୍ମଗ୍ରହଣ କରିଥିଲେ।

ଫକିରମୋହନଙ୍କ ଉପରେ ଜନ୍ମ ହୋଇଥିବା ଭାଇ ଭଉଣୀ ମରିଯାଉଥିବାରୁ ପରିବାର ତାଙ୍କ ନାଁ ଦିଆଯାଇଥିଲା ଫକିର। ସେହି ଫକିର ହେଲେ ଓଡ଼ିଆ ଭାଷା ଓ ସାହିତ୍ୟର ମୁକୁଟ ବିହୀନ ସମ୍ରାଟ ଫକିରମୋହନ ସେନାପତି।

ଫକିରମୋହନ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ‘ରେବତୀ’ର ଲେଖକ। ନାରୀ ଶିକ୍ଷା ଓ ନାରୀ ସ୍ୱାଧୀନତାର ପ୍ରଥମ ଉଚ୍ଚାରଣ ଥିଲା ଫକିରମୋହନଙ୍କ ‘ରେବତୀ’। ଏବେ ବି ତାଙ୍କ ସାହିତ୍ୟକୁ ପଢ଼ିଥିବା ଲୋକଙ୍କ କାନରେ ଶୁଭିଯାଏ: ‘ଲୋ ରେବତୀ… ଲୋ ରେବୀ… ଲୋ ନିଆଁ… ଲୋ ଚୁଲି’। ଏବେବି ଜଣେ ପାଠକ ଭାବି ପାରିବ ନାହିଁ ଯେ, ରେବତୀ ଥିଲା ଏକ ଗଳ୍ପ ନା ଏକ ସତ କାହାଣୀ।

ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ଲାଗି ସେ ଲଢ଼ିଥିଲେ। ବାଲେଶ୍ୱରର ତତ୍କାଳୀନ ଜିଲ୍ଲାପାଳ ଜନ୍‌ ବିମସ୍‌ ସାହେବ ଫକିରମୋହନଙ୍କ ପାଣ୍ଡିତ୍ୟରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କଠାରୁ ଓଡ଼ିଆ ଭାଷା ଶିକ୍ଷା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଫକିରମୋହନ ସେନାପତି ନୀଳଗିରି, ଡମପଡ଼ା, ଢେଙ୍କାନାଳ, ଦଶପଲ୍ଲା ଭଳି ବିଭିନ୍ନ ସ୍ଥାନରେ ଦେୱାନ ଭାବେ କାମ କରିଥିଲେ। ଶେଷ ଜୀବନ ବାଲେଶ୍ୱରରେ ବିତାଇଥିଲେ ଫକିରମୋହନ।

ବାଲେଶ୍ୱରରେ ୧୯୧୮ ଜୁନ୍‌ ୧୪ ତାରିଖ ରଜ ସଂକ୍ରାନ୍ତିରେ ତାଙ୍କର ଦେହାନ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here