ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ରଥଯାତ୍ରାରେ ମହାପ୍ରଭୁଙ୍କର ରଥକୁ ହାତୀମାନେ ଟାଣିବାକୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ସୁଦୁସୁଆର ନିଯୋଗ। ଏଥିସହ ରଥକୁ ମେସିନ୍ ସାହାଯ୍ୟରେ ଟାଣିବାକୁ ନିଯୋଗ ବିରୋଧ କରିଛି।
ସୁଦୁସୁଆର ନିଯୋଗର ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ କହିବାନୁଯାୟୀ, ପୂର୍ବୁର ବାଲିରେ ଯେତେବେଳେ ରଥଚକା ଅଟକି ଯାଉଥିଲା ସେତେବେଳେ ହାତୀମାନେ ହିଁ ରଥ ଟାଣୁଥିଲେ। ତେଣୁ ଏଭଳି ପରିସ୍ଥିତିରେ ହାତୀମାନେ ହିଁ ରଥ ଟାଣନ୍ତୁ। ହାତୀମାନଙ୍କ ସହିତ ସେବାୟତ ଓ ପୋଲିସ ଭାଇମାନେ ମିଶି ରଥଟାଣିବା ଉଚିତ୍ ବୋଲି ସେ କହିଛନ୍ତି।
ଏଥିସହିତ ମେସିନ୍ ସାହାଯ୍ୟରେ ରଥ ଟଣାନଯାଉ ବୋଲି ସେ କହିଛନ୍ତି। ରଥ ଟାଣିବା ପାଇଁ ସେମାନେ ୫୦ ଜଣ ସେବାୟତଙ୍କ ତାଲିକା ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଦେଇଛନ୍ତି। ଏହି ତାଲିକାରେ ୬୦ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ ବୟସର ସେବାୟତଙ୍କୁ ବାଦ୍ ଦିଆଯାଇଛି ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ରଥଯାତ୍ରାକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାରୁ ଶୁଣାଣି କରି ହାଇକୋର୍ଟ ମେସିନ୍ କିମ୍ବା ହାତୀ ସାହାଯ୍ୟରେ ରଥ ଟାଣିପାର ବୋଲି କହିଥିଲେ। ନଚେତ୍ ହାତୀ କିମ୍ବା ମେସିନ୍ ବଦଳରେ ରାଜ୍ୟ ସରକାର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ବିଚାର କରୁନ୍ତ ବୋଲି ହାଇକୋର୍ଟ କହିଥିଲେ। ସରକାର କୋଭିଡ୍ ଗାଇଡଲାଇନ୍ ଓ ରଥଯାତ୍ରା ପ୍ରସଙ୍ଗକୁ ଧ୍ୟାନ ଦେଇ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ଶୁଣାଣି କରିଥିଲେ।


















