ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ଲଦାଖରେ ଭାରତ ଓ ଚୀନ ଭିତରେ ଯେଉଁ ସଂଘର୍ଷପୂର୍ଣ୍ଣ ବିବାଦ ଦେଖାଦେଇଛି ତାକୁନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି, ଜେଡିୟୁ ସମେତ ୨୦ଟି ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ।

ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇଣ୍ଟେଲିଜେନ୍ସ ରିପୋର୍ଟ ଏବଂ ସାଟେଲାଇଟ ଫଟୋକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ସେ ପଚାରିଥିଲେ ଯେ, ଚୀନ ବାବଦରେ ଆଗୁଆ ଇଣ୍ଟେଲିଜେନ୍ସ ରିପୋର୍ଟ ମିଳି ନଥିଲା କି?

ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସରକାରଙ୍କ ସହ ରହିଛୁ ବୋଲି ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ। ଦେଶର ସ୍ୱାର୍ଥ ପାଇଁ ସବୁ ରାଜନୈତିକ ଦଳ ଏକାଠି ହେବା ଦରକାର ବୋଲି ଜେଡିୟୁ କହିଥିଲା।

ସୋନିଆଙ୍କ ତିନି ପ୍ରଶ୍ନ

ସର୍ବଦଳୀୟ ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତିନୋଟି ପ୍ରଶ୍ନ ସରକାରଙ୍କୁ ପଚାରିଥିଲେ। ସେ କହିଥିଲେ ଯେ, ଚୀନ ସେନା ଭାରତ ସୀମାରେ କେବେ ଅନୁପ୍ରବେଶ କଲେ ଏବଂ ସରକାର କେବେ ଏ ବିଷୟରେ ଜାଣିଲେ? ସରକାରଙ୍କ ପାଖରେ କ’ଣ ସାଟେଲାଇଟ ଫଟୋ ନଥିଲା? ଚୀନ ସେନାର ଗତିବିଧି ଉପରେ ଇଣ୍ଟେଲିଜେନ୍ସ ରିପୋର୍ଟ ନଥିଲା? ମାଉଣ୍ଟେନ ଷ୍ଟ୍ରାଇକ ଗ୍ରୁପର ସ୍ଥିତି ଏବେ କ’ଣ ଅଛି?

ଦେଶର ସୀମା ସୁରକ୍ଷା ପ୍ରସଙ୍ଗରେ ୬ ବର୍ଷ ଭିତରେ ୩ ଥର ସର୍ବଦଳୀୟ ବୈଠକ ବସିଛି। ଗତବର୍ଷ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସର୍ବଦଳୀୟ ବୈଠକ ବସିଥିଲା।

ଗତ ଜୁନ୍‌ ୧୫ ତାରିଖ ରାତିରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ଭିତରେ ଜୋରଦାର ସଂଘର୍ଷ ହୋଇଥିଲା। ଏଥିରେ ଭାରତରର ୨୦ ଯବାନ ସହିଦ ହୋଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ ଡାକିଥିଲେ।

Comment