ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୪ ଦିନ ଅଣସର ଘରେ ରହି ଆଜି ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀବଳଦେବଜୀଉ।

କେନ୍ଦ୍ରାପଡ଼ା: ଖାଁ ଖାଁ ବଡଦେଉଳ ଖାଲିଖାଲି ବଡଦାଣ୍ଡ। ଭଗବାନଙ୍କ ଦର୍ଶନ ନପାଇ କାନ୍ଦୁଛନ୍ତି ଭକ୍ତ। କରୋନା କଟକଣା ଆଜି ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ଠିଆ କରିଛି। ୧୪ ଦିନର ଅଣସର ବାସ ପରେ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ପ୍ରଭୁ କେନ୍ଦ୍ରାପଡ଼ାର ଅରାରାଧ୍ୟ ଦେବତା ବଳିଆ ସାଆନ୍ତ। ୧୪ ଦିନ ପଟି ଦିଅଁଙ୍କୁ ଦର୍ଶନ କରିଆସୁଥିବା ଭକ୍ତ ଆଜି ମନଭରି ତାର ଇଷ୍ଟଦେବଙ୍କୁ ଦର୍ଶନ କରିଥାନ୍ତା। ହେଲେ କରୋନା ପାଇଁ ଭକ୍ତ ଓ ଭଗବାନଙ୍କର ମିଳନ ହୋଇପାରିଲା ନାହିଁ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବିନା ଭକ୍ତରେ ଆଜି ଶ୍ରୀବଳଦେବଜୀଉ ନବଯୌବନ ବେଶ ହୋଇଛନ୍ତି।

ବଡ଼ି ଭୋରରୁ ପହୁଡ ଫିଟାପରେ ନେତ ପ୍ରତିଷ୍ଠା, ମଙ୍ଗଳ ଆରତୀ, ନୂଆ ଅଙ୍ଗବସ୍ତ୍ର ଲାଗି କରାଯାଇଥିଲା। ହୋମଯଜ୍ଞ ପରେ ପ୍ରାଣ ପ୍ରତିଷ୍ଠା କରିଥିଲେ ମହାପ୍ରଭୁଙ୍କ ପଣ୍ଡା ଓ ସେବକମାନେ। ପରେ ପରେ ବଲ୍ଲଭ ମଣୋହୀ, ନେତ ଖେଚୁଡି ଲାଗି ହୋଇଥିଲା। ୧୪ ଦିନ ଅନ୍ନ ସ୍ପର୍ଶ କରିନଥିବା ବଳିଆ ଠାକୁରଙ୍କ ନିକଟରେ ଅନ୍ନଧୂପ କରାଯାଇଥିଲା। ଏହାପରେ ଅବକାଶ ଓ ଉଠାଣ ନୀତିରେ ମହାପ୍ରଭୁଙ୍କ ନିକଟରେ ପ୍ରିୟ ରସାବଳୀ ଭୋଗ ଲାଗି କରାଯାଇଥିଲା। ଆଜି ମହାପ୍ରଭୁଙ୍କ ବଡ ସିଂହାର ବେଶ କରାଯାଇ ପହୁଡ ନୀତି ସମାପନ  ହୋଇଥିଲା। ପୁଣି ପୁହୁଡ ଫିଟାପରେ ତଡପଲାଗି କରାଯାଇଛି। ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ଉଜାଗର ରହିବାର ବିଧି ପାଳନ କରାଯିବ।

ଆସନ୍ତା କାଲି ସୂର୍ଯ୍ୟପରାଗ। ଶେଷରେ ମହାପ୍ରଭୁଙ୍କ ପରାଗ ସ୍ନାନ ନୀତି କରାଯିବ। ଏହାପରେ ଭଣ୍ଡାର ମେକାପ ମହାପ୍ରଭୁଙ୍କ ଦେଉଳ ଓ ପାର୍ଶ୍ଵ ଦେଉଳମାନଙ୍କରେ ନୂତନ ନେତ ବାନ୍ଧିବାର କାର୍ଯ୍ୟକ୍ରମ ରହିଛି। ଅଣସର ପିଣ୍ଡିରେ ସିମୀତ ପୂଜା ପଣ୍ଡାମାନଙ୍କୁ ନେଇ ମହାପ୍ରଭୁଙ୍କର ଏହି ନବଯୌବନ ବେଶ ସମାପନ ହୋଇଛି।

ତୁଳସୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ, ସୁଭଦ୍ରା ଦେବୀ ଓ ଶ୍ରୀଜଗନାଥଙ୍କ କାନ୍ତ, ଶାନ୍ତ ଓ କମନୀୟ ବେଶ କେବଳ ଫଟୋ ଓ ଭିଡିଓ ମାଧ୍ୟମରେ ଦର୍ଶନ କରିଛନ୍ତି ଭକ୍ତଗଣ।

Comment