ଓଡ଼ିଶାଲାଇଭ ବ୍ୟୁରୋ

‘ମୋ ସରକାର’ ଅଧୀନରେ ସାମିଲ ହେବ କୋଭିଡ୍‌ ପରିଚାଳନା। ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ରୋଗୀ ଏବଂ କୋଭିଡ୍‌ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

‘ମୋ ସରକାର’ ଅଧୀନରେ କୋଭିଡ୍‌ ପରିଚାଳନା ସାମିଲ କରାଗଲେ ରୋଗୀ ଏବଂ ସାଧାରଣ ଲୋକମାନଙ୍କଠାରୁ ମତାମତ ସଂଗ୍ରହ କରାଯିବ। ମତାମତ ସଂଗ୍ରହ ପାଇଁ ଜିଲ୍ଲା କୋଭିଡ୍‌ ପର୍ଯ୍ୟବେକ୍ଷକ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ମତାମତ ସଂଗ୍ରହ କରିପାରିବେ।

ରୋଗୀ ଏବଂ ଲୋକଙ୍କଠାରୁ ମତାମତ ଆସିଲେ ହିଁ ବ୍ୟବସ୍ଥାରେ ଅଧିକ ଉନ୍ନତି ଆସିପାରିବ। ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ତାଙ୍କ ପରିବାରକୁ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାଜ୍ୟର ସବୁ ହସ୍ପିଟାଲ ଏବଂ ହଟ୍‌ସ୍ପଟ୍‌ ଜିଲ୍ଲାରେ ଆଣ୍ଟିଜେନ୍‌ ଟେଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣରୁ ବର୍ତ୍ତିବା ପାଇଁ କରୋନା ଯୋଦ୍ଧାଙ୍କୁ ତାଲିମ୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ମାସ୍କ ନିପିନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅଧିକାରୀମାନଙ୍କୁ କହିଛନ୍ତି।

Comment