ଓଡ଼ିଶାଲାଇଭ୍ ବ୍ୟୁରୋ   

ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ରହସ୍ୟଘେରରେ।

ଜଣାଶୁଣା ସମାଜ ସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତ୍ୟୁକୁ ୨୪ ଘଣ୍ଟା ପୁରିଯାଇଥିଲେ ମଧ୍ୟ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରିଛନ୍ତି ତାହା ନିର୍ଦ୍ଦିଷ୍ଟ ହୋଇପାରିନାହିଁ। ତାଙ୍କୁ କେହି ହତ୍ୟା କରି ଟ୍ରେନଲାଇନରେ ପକେଇ ଦେଇଛନ୍ତି ବୋଲି ତାଙ୍କର ଜଣେ ସମ୍ପର୍କୀୟ ଭାଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ କିନ୍ତୁ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କୁହାଯାଉଛି।

ଆଦିତ୍ୟଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ କହିବାନୁଯାୟୀ, ଆଦିତ୍ୟ ଗତ କିଛି ଦିନ ହେଲା ମଦବିରୋଧୀ ଆନ୍ଦୋଳନରେ ସକ୍ରିୟ ଥିଲେ। ଯେଉଁ କାରଣରୁ ତାଙ୍କ ପାଖକୁ ଲଗାତାର ଭାବେ ଧମକପୂର୍ଣ୍ଣ କଲ୍ ଆସୁଥିଲା। ଏହି କଲରେ ତାଙ୍କୁ ହତ୍ୟା କରିବା ପାଇଁ ଧମକ୍ ଦିଆଯାଉଥିଲା ବୋଲି ସେ କହିଛନ୍ତି।

ଅନ୍ୟପଟେ ବୁଧବାର ଘଟଣା ସ୍ଥଳରେ ରେଳବାଇ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜିଆରପି ଏସପି ପ୍ରାଥମିକ ତଦନ୍ତରୁ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି। ହେଲେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସଠିକ୍ ସୂଚନା ଦିଆଯାଇପାରିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆଦିତ୍ୟଙ୍କ ମୃତ ଦେହ ମିଳିଥିବା ସ୍ଥାନରେ ରହୁଥିବା କିଛି ଲୋକଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି।

ଅବସାଦଗସ୍ତ ଥିଲେ ଆଦିତ୍ୟ

ସମସ୍ତଙ୍କୁ ସୁଖର ଜୀବନ ଯିଇବାକୁ ପରାମର୍ଶ ଦେଉଥିବା ଆଦିତ୍ୟ ଗତ କିଛି ଦିନ ହେଲା ଅବସାଦଗସ୍ତ ଥିଲେ ବୋଲି ସୂଚନା ମିଳୁଛି। ଏପରିକି ସେ ଠିକ୍ ସମୟରେ ଖାଇବା ପିଇବା ମଧ୍ୟ କରୁନଥିଲେ। ତାଙ୍କ  ସ୍ତ୍ରୀଙ୍କ କହିବାନୁଯାୟୀ, ସେ ଦିନେ ହଠାତ୍ ବିନା କାରଣରେ ଲଣ୍ଡା ହୋଇ ଆସିଥିଲେ। କାରଣ ପଚାରିବାରୁ ସେ ନୂଆ କିଛି ଏକ୍ସପେରିମେଣ୍ଟ କରୁଛନ୍ତି ବୋଲି କହିଥିଲେ। କିଛି ଦିନ ଧରି ରାତିରେ ସେ ହଠାତ୍ ଡରି ଯାଉଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି।ଫେସବୁକର ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା

‘ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀରେ ଧୀରେ ଆସେ କେହି ଜାଣିପାରନ୍ତି ନାହିଁ’ , ଏହା ଥିଲା ଆଦିତ୍ୟଙ୍କ ଶେଷ ଫେସବୁକ ପୋଷ୍ଟ। ଯାହାକି ଏବେ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ପରଦିନ ହିଁ ଟ୍ରେନ୍ ଲାଇନ୍ କଡ଼ରୁ ଆଦିତ୍ୟଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର କରାଯାଇଥିଲା। ତେଣୁ ଏହି ଲେଖାକୁ ଦେଖି କେତେକ ଲୋକ ସେ ଆତ୍ମହତ୍ୟା କରିଛନ୍ତି ବୋଲି କହୁଛନ୍ତି। ନଚେତ୍ ପ୍ରାଣ ହରାଇବା ପୂର୍ବରୁ ସେ ଏପରି କାହିଁକି ଲେଖିବେ ବୋଲି ପ୍ରଶ୍ନ ଉଠିଛି।

ମାସେ ପୂରିନି ବିବାହ

ଆଦିତ୍ୟ ଗତ ଜୁନ୍ ୯ ତାରିଖରେ ତାଙ୍କର ଜଣେ ବାନ୍ଧବୀଙ୍କ ହାତ ଧରିଥିଲେ। ଯାହାଙ୍କ ନାଁ ହେଉଛି ବିଦ୍ୟାଶ୍ରୀ। କଟକ ଖପୁରିଆ ଅଞ୍ଚଳର ବିଦ୍ୟାଶ୍ରୀ ଆଦିତ୍ୟଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରେ ଦୁହେଁ ଆଦିତ୍ୟଙ୍କ ଘରେ ହିଁ ରହୁଥିଲେ। ହେଲେ କିଛି ଦିନ ଧରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା ବୋଲି ସୂଚନା ମିଳିଛି। ତେଣୁ ଏହି ମୃତ୍ୟୁ ପଛରେ ପାରିବାରିକ କଳହ ଥାଇପାରେ ବୋଲି ମଧ୍ୟ କୁହାଯାଉଛି। ହେଲେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଖୁବ ଭଲ ପାଉଥିଲେ।ଜୁଲାଇ ୭, ଟ୍ରେନ୍ ଲାଇନରୁ ମିଳିଥିଲା ଶବ

ଗତକାଲି ଲିଙ୍ଗରାଜ ଷ୍ଟେସନ ନିକଟରେ ଏକ ରକ୍ତ ଜୁଡୁବୁଡୁ ମରଶରୀର ଦେଖିବାକୁ ମିଳିଥିଲା। ଏହାପରେ ସୂଚନା ପାଇ ଜିଆରପି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ମରଶରୀରଟି ଆଦିତ୍ୟଙ୍କର ବୋଲି ଜଣାପଡ଼ିଥିଲା। ଆଦିତ୍ୟଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସୋସିଆଲ୍ ମିଡିଆରେ ମଧ୍ୟ ଏକପ୍ରକାର ଚହଳ ପଡ଼ିଯାଇଥିଲା। କାହିଁକି ନା ଆଦିତ୍ୟ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ ଥିବା ସହ ମୋଟିଭେସନାଲ୍ ଭିଡିଓ କରୁଥିଲେ। ତାଙ୍କର ୮୭ ହଜାର ଫଲୋୟର ମଧ୍ୟ ଥିଲେ।

LEAVE A REPLY

Please enter your comment!
Please enter your name here