ଓଡ଼ିଶାଲାଇଭ ବ୍ୟୁରୋ
ବିଭିନ୍ନ ଅର୍ଥକାରୀ ଫସଲ ମଧ୍ୟରୁ କପାର ଅଧିକ ଚାହିଦା ରହିଥିବାରୁ ଏହାକୁ ଧଳା ସୁନା କୁହାଯାଏ। ସୀମିତ ବୃଷ୍ଟିପାତ ଅଞ୍ଚଳରେ ଏହାକୁ ମୁଖ୍ୟ ଫସଲ ଭାବେ ଚାଷ କରାଯାଏ। ଅନ୍ୟାନ୍ୟ ଫସଲ ତୁଳନାରେ କପା ଚାଷରେ ରୋଗ ସମସ୍ୟା ଯଥେଷ୍ଟ ବେଶୀ। ଏଥିଯୋଗୁଁ ଶତକଡ଼ା ୫୦ରୁ ୬୦ ଭାଗ ପର୍ଯ୍ୟନ୍ତ ଅମଳ କମିପାରେ।
କପା ଚାଷରେ ରୋଗ ପୋକ ନିୟନ୍ତ୍ରଣ କରେ ଅନ୍ତ ଚାଷ
ପୋକରା ପୋକ ଓ ଝାଉଁଳା ପୋକ ଆକ୍ରମଣରୁ ରୋକିବା ଓ ଉପକାରୀ ପୋକର ସଂଖ୍ୟା ବୃଦ୍ଧି ପାଇଁ ବରଗୁଡ଼ି, ହରଡ଼ ଆଦିକୁ ଅନ୍ତ ଫସଲ ଭାବେ ଚାଷ କରନ୍ତୁ।
କପା ଚାଷ ପରିବେଷ୍ଟନୀରେ ବିଭିନ୍ନ ଉପକାରୀ ପୋକ ବୃଦ୍ଧି ନିମନ୍ତେ ପ୍ରତି ୧୦ ଧାଡ଼ି କପା ପରେ ଦୁଇ ଧାଡ଼ି ମକା କିମ୍ବା ବରଗୁଡ଼ି ଲଗାଇବା ଦରକାର।
କପା ଜମିର ଚାରିପାଖେ ଜଡ଼ା, ଝୁଡ଼ଙ୍ଗ, ଭେଣ୍ଡି ଓ ଗେଣ୍ଡୁ ଫୁଲ ଗଛ ଲଗାଇପା ଦ୍ୱାରା କପା ଫସଲରେ ଅନିଷ୍ଟକାରୀ ପୋକର ସଂଖ୍ୟା ହ୍ରାସ ପାଇଥାଏ।
ଜଡ଼ା ଗଛର ପତ୍ର ଓସାରିଆ ହୋଇଥିବାରୁ ପତ୍ର ଖିଆ ଗୋଟି ପୋକ ବା ପୋଡ଼ପଟ୍ରା ଗଛର ତଳପଟରେ ମେଞ୍ଚା ମେଞ୍ଚା ଅଣ୍ଡା ଦେଇଥାଏ। ତାକୁ ଯଦି ସଂଗ୍ରହ କରି ରଖାଯାଏ ତାହେଲେ ପୋକ ଦାଉରୁ ରକ୍ଷା ମିଳେ।
ଫେରୋମ୍ପଟ୍ରାପ ମାଧ୍ୟମରେ ଏକ ଲିୟୋର ବ୍ୟବହାର କରାଯାଏ। ଏହି ଲିୟୋରରେ ମାଈ କୀଟର ବାସ୍ନା ଥାଏ। ଅଣ୍ଡିରା ପ୍ରଜାପତି ମାଈ ପୋକର ବାସ୍ନାରେ ଆକର୍ଷିତ ହୋଇ ଫେରୋମ୍ପଟ୍ରାପରେ ପଡ଼ି ଯାଇଥାନ୍ତି। ଫଳରେ କୀଟମାନଙ୍କର ବଂଶ ବିସ୍ତାର ହୋଇପାରିନଥାଏ।
ଶୋଷକ ପୋକମାନେ ସାଧାରଣତଃ ହଳିଦିଆ ରଙ୍ଗ ପ୍ରତି ଆକର୍ଷିତ ହୋଇଥାନ୍ତି। ସେଥିପାଇଁ କପା ଜମି ମଝିରେ ଅଟା ସାହାଯ୍ୟରେ ହଳିଦିଆ ବୋର୍ଡ ଲଗାଇଲେ ଶୋଷକ ପୋକମାନେ ଆକର୍ଷିତ ହୋଇ ଶୋଷକ ପୋକ ଶହ ଶହ ସଂଖ୍ୟାରେ ଅଠାରେ ଲାଗନ୍ତି। ଫଳରେ କପା ଏହି ରୋଗମାନଙ୍କ ଦାଉରୁ ରକ୍ଷା ପାଇଥାଏ।
ଅନ୍ତ ଚାଷର ଉପଯୋଗୀତା
କପାର ଉପକାରୀ ପୋକମାନେ ମକା ଗଛରେ ବଂଶ ବିସ୍ତାର କରିଥାନ୍ତି। ତେଣୁ ମକା ଗଛ ଲଗାଇବା ଦ୍ୱାରା କୀଟ ନିୟନ୍ତ୍ରଣ ହୋଇଥାଏ।
କପା ଚାଷରେ ଅନ୍ତ ଚାଷ ଅନ୍ତର୍ଗତେ ୮ ଧାଡ଼ି କପାରେ ୨ ଧାଡ଼ି ହରଡ଼ ଚାଷ କରାଯାଏ। ଫଳରେ କପା ସାଙ୍ଗରେ ଚାଷୀକୁ ଡାଲି ଜାତୀୟ ଫସଲ ମଧ୍ୟ ମିଳିଥାଏ।
ଅତ୍ୟଧିକ ପବନରୁ ମଧ୍ୟ ହରଡ଼ ଗଛ କପାକୁ ଗଛକୁ କିଛି ମାତ୍ରାରେ ରକ୍ଷା କରିଥାଏ।
ଆବଶ୍ୟକ ଓ ଅନୁମୋଦିତ ଖତ ସାରର ପ୍ରୟୋଗ କରିବା ନିହାତି ଦରକାର। ଏହପରିଭାବେ କପା ଚାଷରେ ଅନ୍ତ ଫସଲର ଉପଯୋଗୀ ଚାଷୀ ବେଶ୍ ପସନ୍ଦ କରୁଛନ୍ତି।