ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡି ଜିଲ୍ଲାକୁ ୮୦ ଦଶକରେ ‘ଭୋକର ଭୂଗୋଳ’ କୁହାଯାଉଥିଲା। କିନ୍ତୁ ଏବେ କଳାହାଣ୍ଡି ସହର କୃଷିଜାତ ଦ୍ରବ୍ୟ ଉତ୍ପାଦନ ପାଇଁ ଦେଶ ବିଦେଶରେ ନା କମେଇବାରେ ଲାଗିଛି। ପ୍ରଥମଥର ପାଇଁ କଳାହାଣ୍ଡି ଜିଲ୍ଲାରୁ କପା ଟ୍ରେନ ଯୋଗେ ବିଦେଶକୁ ରପ୍ତାନୀ ହୋଇଛି । ପୂର୍ବରୁ ଜିଲ୍ଲାରେ ଧାନ, ମକା ପ୍ରଭୃତି ଉତ୍ପାଦନ କରାଯାଇ ବିଦେଶକୁ ରପ୍ତାନୀ କରାଯାଉଥିବାବେଳେ, ଏବେ ରପ୍ତାନୀ ହେଉଛି କପା। କଳାହାଣ୍ଡି ଜିଲ୍ଲାର ଅର୍ଥକାରୀ ଫସଲ ହେଉଛି କପା। ପ୍ରଥମଥର ପାଇଁ ଟ୍ରେନ ଯୋଗେ ବିଦେଶକୁ ରପ୍ତାନୀ ହେବାପରେ ସେଠାକାର ଚାଷୀ ବେଶ ଖୁସି ଅଛନ୍ତି।

ସମ୍ବଲପୁର ରେଳ ବିଭାଗର ଉଦ୍ୟମ ଫଳରେ କଳାହାଣ୍ଡି କପା ଚାଷିଙ୍କ ବ୍ୟବସାୟକୁ ନେଇ ନୂଆ ଆଶା ସୃଷ୍ଟି କରିଛି। କପାକୁ ଜୁନାଗଡ ରେଳ ଷ୍ଟେସନରୁ ବାଂଲାଦେଶ ପଠାଯାଇଛି। ଓଡ଼ିଶାର କୃଷି କ୍ଷେତ୍ରରେ କପା ଚାଷୀଙ୍କ ଉନ୍ନତି ପାଇଁ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ଏହି ପରିବହନ ବ୍ୟବସ୍ଥା କରାଯାଇଥିଲା।

ପଶ୍ଚିମଓଡ଼ିଶାରେ ବହୁଳ ଭାବରେ ଏହି ଚାଷ ଉତ୍ପାଦନ କରାଯାଇଥାଏ। ସେଥି ମଧ୍ୟମରୁ କଳାହାଣ୍ଡି ଜିଲ୍ଲାର କପା ହେଉଛି ଅନ୍ୟତମ। ପୂର୍ବରୁ କଳାହାଣ୍ଡି ସହରରୁ ଦେଶ ବିଦେଶକୁ କପା ରପ୍ତାନୀ ହୋଇଛି। ସେତେବେଳେ ରପ୍ତାନୀ ପାଇଁ ଟ୍ରେନ ପରିବର୍ତ୍ତେ ଲୋରି(ବଡ଼ ଧରଣର ମାଲବାହୀ ଯାନ) ବ୍ୟବହାର କରାଯାଉଥିଲା। ବୁଧବାର ଫେବ୍ରୁଆରି ୨୬ରେ ପ୍ରଥମଥର ପାଇଁ ସିସିଆଇ ପକ୍ଷରୁ ୨,୪୭୧ ଟନ୍ ଏକ ମାଲବାହୀ ଟ୍ରେନ ଯୋଗେ ବାଂଲାଦେଶର ବେନାପୋଲ ଷ୍ଟେସନକୁ ପଠାଯାଇଛି। ଏହି ଟ୍ରେନଟି କୋଲକାତା ଦେଇ ସିଧା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ।

କଳାହାଣ୍ଡି କପା କାହିଁକି ଦେଶ ବିଦେଶରେ ପ୍ରସିଦ୍ଧ ଓ ଭିନ୍ନ :

ରାଜ୍ୟରେ ସବୁଠାରୁ ଅଧିକ କପା ଉତ୍ପାଦନ ହେଉଥିବା ସ୍ଥାନ ହେଉଛି କଳାହାଣ୍ଡି। ରାଜ୍ୟରେ ସମୁଦାୟ କପା ଉତ୍ପାଦନର ପାଖାପାଖି ୪୦ ପ୍ରତିଶତ କପା ଏହି ସ୍ଥାନରୁ ମିଳିଥାଏ। କଳାହାଣ୍ଡି କପାର ଅଧିକ ଫାଇବର ଓ ଜୈବିକ ଗୁଣ ଯୋଗୁଁ ଦେଶ ବିଦେଶରେ ଚାହିଦା ଅଧିକ ରହିଛି। ଏଠାକାର କପା ଚାଷରେ କୌଣସି କୀଟନାଶକ ଔଷଧ ଏବଂ ରାସାୟନିକ ସାର ବ୍ୟବହାର କରାଯାଇନଥାଏ। ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଉତ୍ପାଦନ ହୁଏ କପା। ତେଣୁ ଜୈବିକ ସୂତା ପାଇଁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ପ୍ରସିଦ୍ଧ ଓ ଅଧିକ ଚାହିଦା ମଧ୍ୟ ରହିଛି।

ରାଜ୍ୟର ଆଉ କେଉଁ ସ୍ଥାନରେ ହୁଏ କପା ଉତ୍ପାଦନ :

କଳାହାଣ୍ଡିକୁ ବାଦ ଦେଲେ ରାଜ୍ୟର ବଲାଙ୍ଗୀର, ରାୟଗଡ଼ା, ନୂଆପଡ଼ା, ସୋନପୁର, ବରଗଡ଼, ଗଜପତି, ଗଞ୍ଜାମ, କୋରାପୁଟ, ବୌଦ୍ଧ, କନ୍ଧମାଳ ପ୍ରଭୃତି ଜିଲ୍ଲାରେ ମଧ୍ୟ କପା ଚାଷ କରାଯାଇଥାଏ। ଏହିସବୁ ଅଞ୍ଚଳ କଳାମାଟି ଯୁକ୍ତ ହୋଇଥିବାରୁ କପା ଉତ୍ପାଦନ ଭଲ ହୋଇଥାଏ। କପା ଚାଷ ପାଇଁ କଳାମାଟି ଉପଯୁକ୍ତ ଅଟେ।

ଟ୍ରେନରେ କପା ରପ୍ତାନୀର ଫାଇଦା :

ଟ୍ରେନରେ କପା ରପ୍ତାନୀ ହେଲେ ଚାଷୀମାନେ କମ୍ ଖର୍ଚ୍ଚରେ ବେଶୀ ଲାଭବାନ୍ ହୋଇପାରିବେ। ଯାତାୟତ ଖର୍ଚ୍ଚ ଅପେକ୍ଷାକୃତ କମ୍ ରହିବ। ଟ୍ରେନରେ କୃଷିଜାତ ଦ୍ରବ୍ୟ ରପ୍ତାନୀ କରିବା ହେଉଛି ସବୁଠାରୁ ସୁରକ୍ଷିତ ମାଧ୍ୟମ। ରାସ୍ତାରେ ଯିବା ସମୟରେ ଯେଉଁ ଟ୍ରାଫିକ ସମସ୍ୟା ରହିଥାଏ, ଟ୍ରେନରେ ସେହି ସମସ୍ୟା ରହିବ ନାହିଁ।

ଓଡ଼ିଶାର ଚାଷୀମାନଙ୍କ ମଧ୍ୟରେ କପା ଚାଷ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି। ୨୦୧୬-୧୭ ମସିହାରେ ପ୍ରଥମେ ଓଡ଼ିଶାରେ କପା ଚାଷ ଆରମ୍ଭ କରାଯାଇଥିବା ସୂଚନା ରହିଛି। ଆଗକୁ ରାଜ୍ୟରେ କପା ଚାଷ କ୍ଷେତ୍ରରେ ଆହୁରି ଉନ୍ନତ ହେବବୋଲି ଅନୁମାନ କରାଯାଉଛି।

Comment