ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗର ଘୁର୍ଣ୍ଣିବାତ୍ୟା ପାଇଁ ସବୁବେଳେ ଏକ ପ୍ରକୃଷ୍ଟ ସ୍ଥାନ ହୋଇଆସିଛି। ବିଭିନ୍ନ ସମୟରେ ପ୍ରଚଣ୍ଡ ବାତ୍ୟାମାନ ଆସି ଧନ ସମ୍ପତ୍ତି ନଷ୍ଟ କରିବା ସହ ଅନେକଙ୍କ ଜୀବନ ନେଇଛି। ତେବେ ୧୯୭୦ ମସିହା ନଭେମ୍ବର ୧୧ ତାରିଖରେ ବଙ୍ଗୋପସାଗରରେ ଯେଉଁ ବାତ୍ୟା ଆସିଥିଲା ତାହା ସବୁଠାରୁ ଭୟାନକ ଥିଲା। ଏହାକୁ ‘ଦି ଗ୍ରେଟ୍ ଭୋଳା ସାଇକ୍ଲୋନ’ କୁହାଯାଉଛି। ଏଥିରେ ପ୍ରାୟ ୩ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ବର୍ତ୍ତମାନର ବାଂଲାଦେଶରେ ଏହି ବାତ୍ୟା ମାଡ଼ କରିଥିଲା।ସେ ବର୍ଷ ବାତ୍ୟା ଭୟାନକ ହେବାର କାରଣ ଥିଲା ସମୁଦ୍ରରେ ଆସିଥିବା ଜୁଆର। କୁହାଯାଏ ଏହି ବାତ୍ୟା ଏତେ ପ୍ରଚଣ୍ଡ ଥିଲା ଯେ ସମୁଦ୍ରରେ ୩୫ ଫୁଟ ଉଚ୍ଚର ଜୁଆର ଆସିଥିଲା। ଫଳରେ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକେ ନିଶ୍ଚିହ୍ନ ହୋଇଯାଇଥିଲେ। ଏହି ବାତ୍ୟା ସମ୍ପର୍କରେ ପାକିସ୍ତାନ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। କିନ୍ତୁ ଏହାକୁ ଅନେକେ ଖାତିର କରିନଥିଲେ।ଯେଉଁମାନେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେବା ପାଇଁ ଚାହୁଁଥିଲେ ସେମାନଙ୍କ ପାଇଁ ସେତେବେଳେ ସୁବିଧା ନଥିଲା। ଅତି ଉଚ୍ଚ ଜୁଆର ସାଙ୍ଗକୁ ନିରାପଦ ସ୍ଥାନକୁ ଯାଇ ନପାରିବା ଫଳରେ ଜୁଆର ପ୍ରାୟ ୩ରୁ ୫ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା। ‘ଦି ଗ୍ରେଟ ଭୋଳା’ ବାତ୍ୟାର ବୀଭତ୍ସତା ଆଜି ପର୍ଯ୍ୟନ୍ତ ଏକ ଦାରୁଣ ଇତିହାସ ହୋଇ ରହିଛି।

Comment