ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ସୋମବାର ରାତି ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାଂଲାଦେଶର ବରିସଲ ନିକଟରେ ଉପକୂଳ ଅତିକ୍ରମ କରିଥିଲା। ଏହି ସମୟରେ ପ୍ରବଳ ବର୍ଷା ଓ ପବନ ବହିଥିଲା। ସିତ୍ରାଙ୍ଗ ତାଣ୍ଡବ କାରଣରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଅଛନ୍ତି।

ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୦୦ କିଲୋମିଟର ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବାତ୍ୟା ‘ସିତ୍ରାଙ୍ଗ’ ବାଂଲାଦେଶର ଅଧିକାଂଶ ଜିଲ୍ଲା ଉପରେ ପ୍ରଭାବ ପକାଇଛି। ବରଗୁନା, ନରୈଲ ଏବଂ ସିରାଜଙ୍ଗଞ୍ଜ ଆଦି ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ସ୍ଥାନଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯାଇଥିଲା। ବାଂଲାଦେଶରେ ପ୍ରାୟ ୫୭୯ଟି ବାତ୍ୟା ଆଶ୍ରୟସ୍ଥଳ ରହିଛି। ଯେଉଁଠିକୁ ପ୍ରାୟ ୨୮,୧୫୫ ଲୋକ ଏବଂ ୨,୭୩୬ରୁ ଅଧିକ ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ପାଣିପାଗ ବିଭାଗ ସୂଚନା ଅନୁସାରେ ଲ୍ୟାଣ୍ଡଫଲ୍ ବେଳେ ବାତ୍ୟା ‘ସିତ୍ରାଙ୍ଗ’ ଦୁର୍ବଳ ହୋଇଥିଲା। ଆସନ୍ତା ୬ ଘଣ୍ଟା ମଧ୍ୟରେ ‘ସିତ୍ରାଙ୍ଗ’ ଦୁର୍ବଳ ହୋଇ ଏକ ସୂଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।

Tags: #Weather #Cyclone #CycloneUpdates #Sitrang #Landfall #Bangladesh

Comment